ନୂଆଦିଲ୍ଲୀ: ମେଲବର୍ଣ୍ଣରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଶୋଚନୀୟ ପରାଜୟ ଭୋଗିଛି। ଏହି ପରାଜୟ ପରେ ରୋହିତ ଆଣ୍ଡ କମ୍ପାନିର ଅବସ୍ଥା ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପାକିସ୍ତାନ ପରି ହୋଇ ଯାଇଛି। ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ପ୍ରବେଶ ପାଇଁ ଭାରତକୁ କୌଣସି ବି ସ୍ଥିତିରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବା ଜରୁରୀ ଥିଲା, ମାତ୍ର ଦଳ ଚତୁର୍ଥ ଟେଷ୍ଟ ହାରି ସବୁ ସମ୍ଭାବନା ଶେଷ କରି ଦେଇଛି। ଏମିତିରେ ଏବେ ଭାରତ ଅନ୍ୟ ଦଳର ଭରସାରେ ଫାଇନାଲ୍ରେ ପ୍ରବେଶ କରିପାରେ।
ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରି ସାରିଛି। ଦ୍ଵିତୀୟ ଦଳ ଭାବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଛି। ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ସର୍ବପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ ଟେଷ୍ଟ ଜିତିବାକୁ ପଡ଼ିବ। ଯଦି ଦଳ ପଞ୍ଚମ ଟେଷ୍ଟ ନ ଜିତେ ତେବେ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ।
ଏପରିକି ସିଡନୀ ଟେଷ୍ଟ ଜିତିଲେ ବି ଭାରତ ସିଧାସଳଖ ଫାଇନାଲ୍ରେ ପହଞ୍ଚି ପାରିବ ନାହିଁ। ଭାରତ-ଅଷ୍ଟ୍ରେଲିଆ ସିରିଜ୍ ୨-୨ରେ ଡ୍ର ହେଲେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଉପରେ ସଭିଙ୍କ ନଜର ରହିବ। ଯଦି ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍କୁ ୧-୦ରେ ଜିତି ନିଏ ତେବେ ଭାରତୀୟ ଦଳ ଫାଇନାଲ୍ରେ ପହଞ୍ଚି ପାରିବ। ଏହାର ଅର୍ଥ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସିରିଜ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଡ୍ର ହେଉ ଏବଂ ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍ ଜିତୁ। କିନ୍ତୁ ଏମିତି ହେବା ମୁସ୍କିଲ ଲାଗୁଛି।
ଯଦି ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ୍ରେ କ୍ଲିନ ସୁଇପ୍ କରିଦିଏ ଏବଂ ପାକିସ୍ତାନ ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଏ ତେବେ ଶ୍ରୀଲଙ୍କା ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ କରିବ। ଯଦି ଅଷ୍ଟ୍ରେଲିଆ ସିଡନୀରେ ଖେଳା ଯିବାକୁ ଥିବା ପଞ୍ଚମ ଟେଷ୍ଟରେ ଭାରତକୁ ପରାସ୍ତ କରେ ତେବେ ଦଳ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବ। କିନ୍ତୁ ସିଡନୀ ଟେଷ୍ଟ ହାରିଲେ ବି କଙ୍ଗାରୁ ଦଳ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ ନାହିଁ। ଏଥିପାଇଁ ଦଳକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଜିତିବାକୁ ପଡ଼ିବ।