ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି। ଗୁରୁବାର ସରକାର ଜାରି କରିଥିବା ଖଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟh, ୨୦୨୪ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୫ ପ୍ରତିଶତ ରହିଛି। ଅବଶ୍ୟ ଏହା ଚଳିତ ବର୍ଷ ଜୁଲାଇ ତୁଳନାରେ .୫ ବେସିସ ପଏଣ୍ଟ ଅଧିକ। ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୦ ପ୍ରତିଶତ ରହିଥିଲା ତଥାପି ଏହାର ପ୍ରଭାବ ଖୁବ୍ ଦେଖିବାକୁ ମିଳିଛି।
ବଡ଼ କଥା ହେଉଛି ଏବେ ଦେଶରେ, ସହରାଞ୍ଚଳ ତୁଳନାରେ ଗ୍ରାମୀଣ ଅଞ୍ଚଳରେ ଦରବୃଦ୍ଧି ଅଧିକ ଦେଖିବାକୁ ମିଳିଛି। ଅର୍ଥାତ ଦରବୃଦ୍ଧିର ପ୍ରଭାବ ଗରିବଙ୍କ ଉପରେ ଅଧିକ ପଡ଼ୁଛି । ଗ୍ରାମାଞ୍ଚଳରେ ଦରବୃଦ୍ଧି ବଢ଼ୁଛି। ତଥ୍ୟ ଅନୁଯାୟୀ ଅଗଷ୍ଟରେ ୨୦୨୪ରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୪.୧୬ ପ୍ରତିଶତ ରହିଥିଲା। ଯେତେବେଳେକି ସହରାଞ୍ଚଳରେ ଏହା ୩.୧୪ ପ୍ରତିଶତ ରହିଛି । ଏହା ପୂର୍ବରୁ ଜୁଲାଇ ୨୦୨୪ରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୪.୧୦ ପ୍ରତିଶତ ରହିଥିଲା। ଆଉ ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ୩.୦୩ ପ୍ରତିଶତ ରହିଥିଲା।
ଖାଦ୍ୟ ଦରଦାମରେ ବୃଦ୍ଧି:
ସେହିଭଳି ଅଗଷ୍ଟ ମାସରେ ଖାଦ୍ୟ ମୁଦ୍ରାସ୍ଫୀତିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। କାରଣ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ଅଗଷ୍ଟରେ ୫.୬୬ ପ୍ରତିଶତ ରହିଛି। ଯେତେବେଳେକି ଜୁଲାଇ ୨୦୨୪ରେ ଏହା ୫.୪୨ ପ୍ରତିଶତ ରହିଥିଲା। ଯଦି ଖାଦ୍ୟ ପଦାର୍ଥ କଥା ଦେଖିବା ତେବେ ଅଗଷ୍ଟରେ ସବୁଠୁ ଅଧିକ ଡାଲି, ବେସନ ଇତ୍ୟାଦିର ଦାମ୍ରେ ବୃଦ୍ଧି ହୋଇଛି। ଏଥିରେ ପ୍ରାୟ ୧୪.୩୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।
ଦେଶର ତିନି ରାଜ୍ୟରେ ସବୁଠୁ ଅଧିକ ଦରବୃଦ୍ଧି ଦେଖିବାକୁ ମିଳିଛି। ସବୁଠୁ ଅଧିକ ବିହାରରେ ୬ ପ୍ରତିଶତରୁ ଅଧିକ ରହିଛି ଦରବୃଦ୍ଧି ହାର। ସେହିଭଳି ଓଡ଼ିଶା ୫.୬୩ ପ୍ରତିଶତ ଏବଂ ଆସମରେ ୫ ପ୍ରତିଶତ ରହିଛି ଦରବୃଦ୍ଧି ହାର।