ଭଦ୍ରକ ୧୩।୬: ଭଦ୍ରକରେ ଜଣେ ଗୋ-ରକ୍ଷକଙ୍କ ମୃତ୍ୟକୁ ନେଇ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୨୪ ଘଣ୍ଟିଆ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ଅଧିକ ୧୨ ଘଣ୍ଟା ପାଇଁ କଟକଣା ବୃଦ୍ଧି କରାଯାଇଛି l ଗୁରୁବାର ସକାଳ ୬ଟାରୁ ଜାରି ହୋଇଥିବା ଏହି କଟକଣା ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ଥିବା ବେଳେ ଏହାକୁ ପୁଣି ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ସେହିଭଳି ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ପୌରାଞ୍ଚଳ , ଭଦ୍ରକ ବ୍ଲକ୍ ସମେତ ଧାମନଗର ବ୍ଲକ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ତିହିଡି ବ୍ଲକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ସହ ଏହି ଅଞ୍ଚଳରେ ନିୟୋଜିତ କରାଯାଇଥିବା ୨୭ ପ୍ଳାଟୁନ ଫୋର୍ସଙ୍କ ମଧ୍ୟରୁ ୫ ପ୍ଲାଟୁନ ଫୋର୍ସ ପ୍ରତ୍ୟାହାର କରିନିଆଯାଇଛି l ଘଟଣା ସମ୍ପର୍କରେ ସୂଚନା ଦେଇ ଭଦ୍ରକ ଏସ୍ପି ମନୋଜ ରାଉତ କହିଛନ୍ତି ଯେ, ଗୁରୁବାର ଦିନ ମୃତ ଗୋ-ରକ୍ଷକଙ୍କ ମୃତଦେହ ଭଦ୍ରକ ଆସୁଥିବା ଦୃଷ୍ଟିରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା l ତେବେ ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଅବସ୍ଥା ସ୍ୱାଭାବିକ ହୋଇଥିଲା l ବିଳମ୍ବିତ ରାତିରେ ମୃତ ଗୋ-ରକ୍ଷକ ସନ୍ତୋଷ ପରିଡାଙ୍କୁ ତାଙ୍କ ଘର ତିହିଡି ବ୍ଲକ କଷଟି ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି l ସବୁକିଛି ଧୀରେ ଧୀରେ ସ୍ୱାଭାବିକ ହେଉଛି l ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ରୁ ୫ ଜଣଙ୍କୁ ପୋଲିସ ଠାବ କରି ସାରିଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି l ସେହିଭଳି ସୋସିଆଲ ମିଡ଼ିଆରେ କେହି ଆପତ୍ତିଜନକ ପୋଷ୍ଟ ନକରିବାକୁ ଏବଂ ଗୁଜବରେ ବିଶ୍ୱାସ ନ ରଖିବାକୁ ଏସ୍ପି କହିଛନ୍ତି l
ସୂଚନାଯୋଗ୍ୟ ଯେ, ଗତ ମାସ ୩୦ ତରିଖ ଦିନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କଷଟି ଗ୍ରାମରେ ବେଆଇନ ଗୋ-ଚାଲାଣକୁ କେନ୍ଦ୍ରକରି ଉପୁଜିଥିବା ଗୋଷ୍ଠୀ ସଂଘର୍ଷରେ ସନ୍ତୋଷ ପରିଡା ନାମକ ଜଣେ ଗୋ-ରକ୍ଷକ ଗୁରୁତର ହୋଇଥିଲେ । ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଯାହାକୁ ନେଇ ଭଦ୍ରକ ଜିଲ୍ଲାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା l
You Can Read:
ରାଜ୍ୟବାସୀଙ୍କୁ ଯୋଗାଣ ବିଭାଗର ବଡ଼ ଉପହାର, ଜନ ପୋଷଣ କେନ୍ଦ୍ରରେ ରିହାତି ଦରରେ ମିଳିବ ରାସନ ସାମଗ୍ରୀ