ଇରାନ ରାଷ୍ଟ୍ରପତି ନିର୍ବାଚନ; ମାତ୍ର ୪୦% ମତଦାନ, ମିଳିଲାନି ବହୁମତ, ୫ରେ ପୁଣି ଭୋଟ୍

Published By : Prameya-News7 Bureau | June 30, 2024 IST

ତେହେରାନ, ୩୦।୬: ଇରାନରେ ପୁଣି ହେବ ରାଷ୍ଟ୍ରପତି ନିର୍ବାଚନ । ଶୁକ୍ରବାର ମତଦାନରେ ବହୁମତ ମିଳିନଥିବାରୁ ପୁଣି ନିର୍ବାଚନ ନେଇ ଘୋଷଣା ହୋଇଛି । ଆସନ୍ତା ଜୁଲାଇ ୫ ତାରିଖରେ ଭୋଟିଂ ହେବ । ଶୁକ୍ରବାର ଇରାନରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏଥିରେ ମାତ୍ର ୪୦ ପ୍ରତିଶତ ମତଦାନ ହୋଇଛି ।  ଯାହାକି ୧୯୭୯  ବିପ୍ଳବ ପରେ ସବଠାରୁ କମ୍‌ ।  ଦେଶରେ ୬ କୋଟିରୁ ଅଧିକ ପଞ୍ଜିକୃତ ଭୋଟର ଅଛନ୍ତି ।  ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବହୁମତ  ମିଳିପାରିନାହିଁ । ବହୁମତ ପାଇଁ କୌଣସି ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଭୋଟ ମିଳିବା  ଦରକାର । କିନ୍ତୁ ନିର୍ବାଚନ ଲଢ଼ୁଥିବା ୪  ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ୫୦ ପ୍ରତିଶତ  ଭୋଟ ମିଳିନାହିଁ । ତେଣୁ ଆସନ୍ତା ଜୁଲାଇ ୫  ତାରିଖ ପୁଣିଥରେ ନିର୍ବାଚନ  ହେବ । 

ଦେଶର ନିର୍ବାଚନ କମିଶନଙ୍କ  ମୁଖପାତ୍ର ମୋହସେନ ଇସଲାମୀଙ୍କ ସୂଚନା ଅନୁସାରେ ନିର୍ବାଚନରେ ମୋଟ ୨ କୋଟି  ୪୭ ଲକ୍ଷ ଭୋଟ ପଡିଥିଲା । ସେଥିରୁ  ସର୍ବାଧିକ ୧ କୋଟି ୪ ଲକ୍ଷ ଭୋଟ ମାସୁଦ  ପଜଶକିୟାନଙ୍କୁ ମିଳିଥିଲା ବେଳେ ଦ୍ୱିତୀୟ  ସ୍ଥାନରେ ଥିବା ସୟିଦ ଜଲିଲଙ୍କୁ ୯୫  ଲକ୍ଷ ଭୋଟ ମିଳିଛି । ସଂସଦର ବାଚସ୍ପତି  ମହମ୍ମଦ ବାକର କାଲିବାଫ ୩୩ ଲକ୍ଷ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲା ବେଳେ ମୁସ୍ତଫା ପୋରମହମ୍ମଦି ମାତ୍ର ୨ ଲକ୍ଷ ୬ ହଜାର ଭୋଟ ପାଇଛନ୍ତି । ବୁଧବାର ରାତିରେ ଉପରାଷ୍ଟ୍ରପତି ଅମିର ହୁସେନ କାଜିଜାହେଦ ହାସ୍‌ମି  ରାଷ୍ଟ୍ରପତି ଦୌଡରୁ ନିଜ ନାମାଙ୍କନ  ପ୍ରତ୍ୟାହାର କରିନେଇଥିଲେ । ରିଭୋଲ୍ୟୁସନାରୀ ଫୋର୍ସର ଏକତା  ବଜାୟ ରଖିବା ଉଦ୍ଦେଶ୍ୟରେ ସେ ଏଭଳି  ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ ।  ସେହିଭଳି ତେହେରାନର ମେୟର ଅଲି  ରାଜା ଜକାନୀ ମଧ୍ୟ ଓହରି ଯାଇଥିଲେ । ଏଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି  ମୋଟ ୮୦ ଜଣ ଆବେଦନ କରିଥିଲେ ।  କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ  ନିର୍ବାଚନ ଲଢ଼ିବା ଲାଗି ଅନୁମତି ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.