ବାରବାଡୋସ୍‌ରେ ଘୂର୍ଣ୍ଣିଝଡ଼ ବିପଦ; ହୁରିକେନ୍ 'ବେରିଲ୍' ପାଇଁ ଫସିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | July 01, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ଖେଳାଯାଉଥିବା ବାରବାଡୋସରେ ଭୟଙ୍କର ଘୂର୍ଣ୍ଣିଝଡ଼ ବିପଦ । ହୁରିକେନ୍ 'ବେରିଲ୍' ପାଇଁ ଓ୍ବେଷ୍ଟଇଣ୍ଡିଜରେ ଫସି ରହିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଟିମ୍ ସୋମବାର ବାରବାଡୋସରୁ ଆମେରିକାର ନ୍ୟୁୟର୍କ ପହଞ୍ଚିବାର ଥିଲା । ପରେ ଭାରତ ପାଇଁ ଉଡ଼ାଣ ଭରିଥାନ୍ତେ ସମସ୍ତ ଖେଳାଳି । ମାତ୍ର ଖରାପ ପାଣିପାଗ ଅର୍ଥାତ୍ ଭୟଙ୍କର ଘୂର୍ଣ୍ଣିଝଡ଼ ହୁରିକେନ୍ 'ବେରିଲ୍' ପାଇଁ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜରେ ଫସି ରହିଛି । ଆମେରିକାର ନ୍ୟାସନାଲ ହୁରିକେନ ସେଣ୍ଟର କହିଛି, ସୋମବାର ବାତ୍ୟା ଆହୁରି ଭୀଷଣ ରୂପ ଧାରଣ କରିବ । ତେଣୁ ଭାରତୀୟ ଖେଳାଳି ଏବଂ ଟିମ୍ ଷ୍ଟାଫ୍‌କୁ ହୋଟେଲ୍ ଭିତରେ ରଖାଯାଇଛି । ବାହାରକୁ ଛାଡ଼ିବାକୁ ବାରଣ କରାଯାଇଛି । ବାରବାଡୋସରେ ଏବେ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  

ଚଳିତବର୍ଷ ଓ୍ବେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ହୁରିକେନ୍ 'ବେରିଲ୍' ଦକ୍ଷିଣ-ପୂର୍ବ କ୍ୟାରବିଆନ୍ ଆଡ଼କୁ ମାଡ଼ି ଆସୁଛି । ଘୂର୍ଣ୍ଣିଝଡ଼ ଏବେ ବିପଦ କ୍ୟାଟାଗୋରୀ ନଂ-୩ରେ ପରିଣତ ହୋଇଛି । ଆମେରିକାର ନ୍ୟାସନାଲ ହୁରିକେନ୍ ସେଣ୍ଟରର ସୂଚନା ମୁତାବକ, ସୋମବାର ଅର୍ଥାତ୍ ଏହା ଆଜି ଆହୁରି ଭୟଙ୍କର ରୂପ ଧାରଣ କରିବ । ବାରବାଡୋସ୍, ସେଣ୍ଟଲୁସିଆ, ଗ୍ରେନାଡା, ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ ସେମତ ଅନେକ ଦ୍ବୀପରେ ବାତ୍ୟା ସତର୍କତା ଜାରି କରାଯାଇଛି । ବାରବାଡୋସ୍ ସହିତ କିଛି ବିମାନବିନ୍ଦରକୁ ଗୋଟିଏ ଦିନ ପାଇଁ ବନ୍ଦ କରାଯାଇଛି । ବିମାନବିନ୍ଦର ଚାଲୁ ହେବା ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳାଳି ଭାରତ ଫେରିବେ। ଏଥିପାଇଁ ବିସିସିଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଚାର୍ଟାଡ୍ ଫ୍ଲାଇଟ୍ ପଠାଇଛି । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଦଳ ଭାରତରେ ପହଞ୍ଚିବା ନେଇ ଆଶା କରାଯାଉଛି ।  

ବାରବାଡୋସରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମ୍ୟାଚ ବେଳେ ମଧ୍ୟ ବର୍ଷା ଆଶଙ୍କା ରହିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ଥିବା ସୂଚନା ରହିଛି । କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାରବାଡୋସରେ ଫସିଥିବା ଜଣାପଡିଛି । ବାତ୍ୟା ବେରିଲର ବିପଦ ଟଳିଲେ ଏବଂ ବିମାନ ବନ୍ଦର ଖୋଲିଲେ ଖେଳାଳିମାନେ ସ୍ୱଦେଶ ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.