ବେଙ୍ଗାଲୁରୁ: ମହାକାଶ ଗବେଷଣାରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ସ୍ପେଶରେ ମଞ୍ଜିକୁ ଗଜା କରିବ ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ)। ଏଥିପାଇଁ ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ। ଲଞ୍ଚ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଏଭଳି କିଛି ସୂଚନା ମିଳିଛି। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେସ୍କ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।
ଏଥିରେ ଅନେକ ପରୀକ୍ଷଣ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍ର ଚତୁର୍ଥ ଷ୍ଟେଜରେ ମୋଟ୍ ୨୪ଟି ପେଲୋଡ୍ ପଠାଯିବ । ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି । ୨୪ଟି ପେଲୋଡ୍ ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ,୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ୱାରା ତିଆରି କରାଯାଇଛି । ଏଥିମଧ୍ୟରୁ ସବୁଠୁ ଦୁଇଟି ରୋଚକ ପେଲୋଡ୍ ହେଉଛି- କ୍ରପ୍ ଏବଂ RV ସାଟ୍-1। କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। କ୍ରପ୍ ପେଲୋଡ୍ ୫ରୁ ୭ ଦିନ ଭିତରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବ ଏବଂ ୨ଟି ଲେଖାଏଁ ପତ୍ର ବାହାରିବା ଯାଏଁ ଅନୁଧ୍ୟାନ କରାଯିବ । ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆଦ୍ରତା, ତାପମାତ୍ରା ଆଦି ମପାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ସେହିପରି RV ସାଟ୍-1 ପେଲୋଡ୍ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ। ମହାକାଶରେ ସେଗୁଡ଼ିକ କିପରି ବଂଶବୃଦ୍ଧି କରୁଛି ତାର ଅନୁଧ୍ୟାନ କରାଯିବ। ଆଗାମୀ ଦିନରେ ହେବାକୁ ଥିବା ମାନବ ମିଶନରେ ଏହିସବୁ ତଥ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ରଖାଯାଇଛି।