ନୂଆଦିଲ୍ଲୀ ୨୬।୦୮: ପୁଲଓ୍ଵାମା ଆତଙ୍କୀ ଆକ୍ରମଣ ପାଇଁ ଜୈସ ଇ ମହମ୍ମଦ(ଜେଇଏମ)ର ପ୍ରମୁଖ ମସୁଦ ଅଝହରର ଭଣଜା ମହମ୍ମଦ ଉମର ଫାରୁକର ପାକିସ୍ତାନ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଗତ ବର୍ଷ ଫେବୃଆରୀରେ ହୋଇଥିବା ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ଏନଆଇଏ ନିଜର ଏହି ରିପୋର୍ଟରେ ଏହି ତଥ୍ୟ ଦେଇଛି।
ଅଧିକାରୀଙ୍କ ଅନୁଯାୟୀ ଜାତୀୟ ତଦନ୍ତ ଏଜେନ୍ସି(ଏନଆଇଏ)ର ତଦନ୍ତରୁ ଜଣା ପଡିଛି ଫାରୁକ ପାକିସ୍ତାନରେ ଅଲାୟଡ ବ୍ୟାଙ୍କ ଓ ମେଜାନ ବ୍ୟାଙ୍କର ତିନୋଟି ଖାତାରେ ଆକ୍ରମଣର କିଛି ଦିନ ପୂର୍ବରୁ ସେଠାକାର ମୁଦ୍ରା ଅନୁଯାୟୀ ୧୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ସେ ହିଁ ଆତ୍ମଘାତୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା। ପରେ ସେ ସେନା ସହ ଗୁଳିବିନିମୟରେ ପ୍ରାଣ ହରାଇଛି। ଜୈସ ୨୦୧୯ ଜାନୁଆରୀ ଓ ଫେବୃଆରୀ ମଧ୍ୟରେ ଉମର ଫାରୁକ ଖାତାରେ ଟଙ୍କା ଜମା କରିଥିଲା।
ଏନଆଇଏ ଜାମ୍ମୁରେ ମଙ୍ଗଳବାର ବିଶେଷ ଅଦାଲତରେ ଦାଖଲ ଅଭିଯୋଗ ପତ୍ରରେ କହିଛି ଆତଙ୍କବାଦୀ ବିସ୍ଫୋରକ ଓ ଆକ୍ରମଣରେ ବ୍ୟବହୃତ ମାରୁତି ଇକୋ କାରକୁ କିଣିବା ପାଇଁ ପ୍ରାୟ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କାରେ ଏମୋନିୟନ ନାଇଟ୍ରେଟ୍ ସହିତ ପ୍ରାୟ ୨୦୦ କିଲୋଗ୍ରାମ ବିସ୍ଫୋରକ କିଣାଯାଇଥିଲା।