ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ; ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ହାରାହାରି ମତଦାନ ୬୧.୧୩%

Published By : Prameya-News7 Bureau | September 19, 2024 IST

ଶ୍ରୀନଗର,୧୯/୯: ଜମ୍ମୁ-କାଶ୍ମୀର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୭ଟି ଜିଲ୍ଲାର ୨୪ ବିଧାନସଭା ଆସନ ପାଇଁ ଭୋଟ୍‌ ପଡ଼ିଥିଲା । ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହୋଇଥିଲା । ୨୩ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୨୧୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଏପଟେ ନିର୍ଦ୍ଧାରିତ ସମୟ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ହାରାହାରି ୬୧.୧୩% ମତଦାନ ହୋଇଛି । କିସ୍ତୱାଡ ଜିଲ୍ଲାରେ ସର୍ବାଧିକ ୭୯.୩୯% ଭୋଟିଂ ହୋଇଥିବା ବେଳେ ପୁଲୱାମାରେ ସର୍ବନିମ୍ନ ୪୬.୬୬% ଭୋଟ୍‌  ପଡ଼ିଛି । ଡୋଡା ଜିଲ୍ଲାରେ ୬୯.୩୩% ମତଦାନ  ହୋଇଥିବା ବେଳେ ଅନନ୍ତନାଗରେ ୫୪.୧୭%,   କୁଲଗାମରେ ୬୨.୪୬%, ରାମବନରେ  ୬୭.୭୧% ଏବଂ ସୋପିଆନ୍‌ରେ ୫୩.୬୪% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ୱେବସାଇଟରୁ ଜଣାପଡ଼ିଛି । ଆସନ୍ତା ଅକ୍ଟୋବର ୮ ତାରିଖରେ ଭୋଟ୍ ଗଣତି ହେବ । 

୧୦ ବର୍ଷ ପରେ  ଜମ୍ମୁ-କାଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ ହେଉଛି । ବିଜ୍‌ବେହରା ବିଧାନସଭା ଆସନରୁ  ଲଢ଼ୁଥିବା ପିଡିପି ପ୍ରାର୍ଥୀ ଇଲ୍‌ତିଜା ମୁଫ୍‌ତି ଭୋଟ୍ ଦେଇଛନ୍ତି । କିସ୍ତୱାଡରୁ ବିଜେପି ପ୍ରାର୍ଥୀ ଶଗୁନ୍‌ ପରିହାର ମଧ୍ୟ ମତାଧିକାର ସାବ୍ୟସ୍ତ କରିଥିଲେ । ପ୍ରଥମ ପର୍ଯ୍ୟାୟକୁ ନେଇ ଦେଶର  ବିଭିନ୍ନ ରାଜ୍ୟରେ ରହୁଥିବା ୩୫ ହଜାରରୁ  ଅଧିକ ବିସ୍ଥାପିତ କାଶ୍ମୀର ପଣ୍ଡିତ ମତ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ପାଇଁ ମୋଟ ୨୪ଟି   ସ୍ୱତନ୍ତ୍ର ବୁଥ୍‌ ପ୍ରସ୍ତୁତ ହୋଇଥିଲା । ତନ୍ମଧ୍ୟରୁ  ଦିଲ୍ଲୀରେ ୪, ଜମ୍ମୁରେ ୧୯ ଏବଂ ଉଧମପୁରରେ ୧ଟି ରହିଥିଲା । ୨୦୧୪ରେ ଅନୁଷ୍ଠିତ ପ୍ରଥମ  ପର୍ଯ୍ୟାୟ ଭୋଟିଂରେ ୨୨ ଆସନରେ ମତଦାନ  ହୋଇଥିଲା । ୧୧ଟି ଆସନରେ ମେହବୁବା  ମୁଫ୍‌ତିଙ୍କ ଦଳ ପିଡିପି ଜିତିଥିଲା ବେଳେ ବିଜେପି  ଓ କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.