ନୂଆଦିଲ୍ଲୀ ୦୬/୧୨: ଆଡିଲେଡ୍ରେ ଚାଲିଲାନି ଷ୍ଟାର ବ୍ୟାଟରଙ୍କ ଯାଦୁ । କଙ୍ଗାରୁ ବାହିନୀ ଆଗରେ ମାଟି କାମୁଡିଲା ରୋହିତ ଆଣ୍ଡ କୋ । ପିଙ୍କ୍ ବଲ୍ରେ ପୁଣି ଆଣ୍ଠେଇଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୧୮୦ ରନରେ ଅଲଆଉଟ୍ ହେଲା ଦଳ । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ ।
୧୦୦ ରନ୍ ପୂର୍ବରୁ ଦଳ ୫ଟି ୱିକେଟ୍ ହରାଇଥିବା ବେଳେ ୧୦୯ ରନ୍ରେ ହରାଇଥିଲା ୬ଟି ୱିକେଟ୍। ଦଳକୁ ପ୍ରଥମ ଝଟକା ଲାଗିଥିଲା ପ୍ରଥମ ବଲ୍ରେ। ଏଲ୍ବିଡବ୍ଲ୍ୟୁ ହୋଇଥିଲେ ଯଶସ୍ୱୀ ଜୈସୱାଲ। ସେ ଶୂନରେ ଆଉଟ୍ ହୋଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍ରେ ସେ ଆଉଟ୍ ହୋଇଥିଲେ। ଜୈସୱାଲ ଆଉଟ୍ ହେବା ପରେ ପ୍ରଥମ ଟେଷ୍ଟ ଖେଳି ନଥିବା ଶୁବମନ ଗିଲ ଆସିଥିଲେ ବ୍ୟାଟିଂ କରିବାକୁ।
କେଏଲ ରାହୁଲ ଓ ଶୁବମନ ଗିଲ ଖେଳକୁ ଆଗେଇ ନେଉଥିଲେ। ସେମାନଙ୍କ ମଧ୍ୟରେ ୬୯ ରନ୍ର ଭାଗିଦାରୀ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ରାହୁଲ। ସେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଶିକାର ବନିଥିଲେ। ଷ୍ଟାର୍କଙ୍କ ବଲରେ ନାଥନ ମ୍ୟାକସ୍ୱିନୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରାହୁଲ ଆଉଟ୍ ହେବା ପରେ ଆସିଥିଲେ ବିରାଟ କୋହଲି। କିନ୍ତୁ ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୮ଟି ବଲ୍ର ସମ୍ମୁଖୀନ ହୋଇ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ।
ମିଚେଲ ଷ୍ଟାର୍କଙ୍କ ବଲରେ ଷ୍ଟିଭ୍ ସ୍ମିଥ୍ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। କୋହଲି ୨୦.୧ ଓଭରରେ ଆଉଟ୍ ହୋଇଥିବା ବେଳେ ୨୧.୧ ଓଭରରେ ଆଉଟ ହୋଇଗଲେ ଶୁବମନ ଗିଲ୍। ପ୍ରାୟ ୧୮ ମାସ ପରେ ଅଷ୍ଟ୍ରେଲିଆ ଟିମ୍କୁ ଫେରିଥିବା ପେସର ସ୍କଟ ବୋଲାଣ୍ଡ ତାଙ୍କୁ ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ।
୫୧ଟି ବଲ୍ରେ ୫ଟି ଚୌକା ସହାୟତାରେ ୩୧ ରନ୍ କରି ସେ ଆଉଟ ହୋଇଥିଲେ। ସେ ଆଉଟ୍ ହେବା ପରେ ଖେଳକୁ ଆଗକୁ ବଢ଼ାଇଥିଲେ ଋଷଭ ପନ୍ତ ଓ ରୋହିତ ଶର୍ମା। କିନ୍ତୁ ନିଜର ଚିରାଚରିତ ଓପନିଂ ସ୍ଥାନ ଛାଡ଼ି ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ଦଳକୁ ସଙ୍କଟରୁ ଉଦ୍ଧାର କରିପାରି ନଥିଲେ।
୨୩ଟି ବଲ୍ ଖେଳି ମାତ୍ର ୩ ରନ୍ କରି ସେ ସ୍କଟ ବୋଲାଣ୍ଡଙ୍କ ଶିକାର ହୋଇଥିଲେ। ଦଳ ୨୫.୫ ଓଭରରେ ୮୭ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ ଖେଳକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ ଋଷଭ। ଏହାପରେ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ଯାଇ ୧୮୦ ରନ୍ରେ ସୀମିତ ରହିଛି ଟିମ୍ ଇଣ୍ଡିଆର ସ୍କୋର ।