ଜିଓକୁ ମିଳିଲା 'ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର', ଜେପିଏଲ୍ ବରିଷ୍ଠ ଉପସଭାପତି କହିଲେ- ଏହି ପୁରସ୍କାର ନବସୃଜନ ପ୍ରତି ଆମ ପ୍ରତିବଦ୍ଧତାର ପ୍ରମାଣ

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ)କୁ ମିଳିଲା ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ ବା ଇଣ୍ଟେଲେକଚୁଆଲ ପ୍ରପର୍ଟି ପୁରସ୍କାର।ଭାରତ ସରକାର ଜିଓ ପ୍ଲାଟଫର୍ମକୁ ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାରରେ ସମ୍ମାନିତ କରିଥିବାବେଳେ, ବିଶ୍ୱ ବୌଦ୍ଧିକ ସମ୍ପଦ ସଂଗଠନ ପକ୍ଷରୁ ମଧ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଅସାଧାରଣ ଉତ୍କର୍ଷତା ପାଇଁ ଜିଓ ପ୍ଲାଟଫର୍ମସକୁ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ବିଶ୍ୱ ସ୍ତରରେ, କମ୍ପାନୀ ଗତ ତିନି ବର୍ଷ ମଧ୍ୟରେ ୪ ହଜାରରୁ ଅଧିକ ପେଟେଣ୍ଟ ଦାଖଲ କରିଛି । ଏହି ପେଟେଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଟେଲିକମ୍ୟୁନିକେସନ୍, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ ହୋଇଛି । ସରଳ ଭାଷାରେ କହିବାକୁ ଗଲେ, ଅଧିକାଂଶ ପେଟେଣ୍ଟ ୫ଜି, ୬ଜି ଏବଂ ଏଆଇ ପ୍ରଯୁକ୍ତି କୌଶଳର ବିକାଶ ଏବଂ ଏହା ସମ୍ବନ୍ଧିତ ପ୍ରଯୁକ୍ତି କ୍ଷେତ୍ର ସହିତ ଜଡ଼ିତ। ଏପର୍ଯ୍ୟନ୍ତ ଏହି ପ୍ରଯୁକ୍ତିଗୁଡ଼ିକ ଉପରେ ବିଦେଶୀ କମ୍ପାନୀମାନଙ୍କ ପ୍ରାଧାନ୍ୟ ବିବେଚନା କରାଯାଉଥିଲା। ଜିଓ ଦ୍ୱାରା ଦାଖଲ ହୋଇଥିବା ବହୁ ସଂଖ୍ୟକ ପେଟେଣ୍ଟ ଦର୍ଶାଉଛି ଯେ ଜିଓ ଭଳି ଏକ ଭାରତୀୟ କମ୍ପାନୀ ଏବେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି।

ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ)ର ବରିଷ୍ଠ ଉପସଭାପତି ଆୟୁଷ ଭଟନାଗର ଜେପିଏଲ ତରଫରୁ ପୁରସ୍କାର ଗ୍ରହଣ କରିବା ସମୟରେ କହିଥିଲେ "ଏହି ପୁରସ୍କାରଗୁଡ଼ିକ ନବସୃଜନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଆମେ କେବଳ ପ୍ରଯୁକ୍ତି କୌଶଳ ଉପରେ କାମ କରୁନାହୁଁ; ଆମେ ଏପରି କ୍ଷମତା ସବୁର ବିକାଶ କରୁଛୁ ଯାହା ୫ଜି, ୬ଜି ଏବଂ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜାତୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଆମକୁ ଆଗରେ ରଖିବ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.