ନୂଆଦିଲ୍ଲୀ ୨୯।୩: ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ (ଆଇଜିଆଇ) ଏୟାର ପୋର୍ଟରୁ ଅନ୍ତରରାଷ୍ଟ୍ରୀୟ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏପ୍ରିଲ ୧୬ ତାରିଖରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଏୟାରପୋର୍ଟ ଇକୋନମିକ ରେଗୁଲେଟରୀ ଅଥରିଟି (ଏଇଆରଏ) ଅନ୍ତର୍ଜାତୀୟ ଯାତ୍ରୀଙ୍କ ନିମନ୍ତେ ୟୁଜର ଡେଭଲପମେଣ୍ଟ ଫି (ୟୁଡିଏଫ) ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏହି ପରିବର୍ତ୍ତନ ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ଟାରିଫ ଅର୍ଡରର ଅଂଶବିଶେଷ ହେବ।
ଏଇଆରଏଙ୍କ ଅନୁସାରେ ଏହି ନିଷ୍ପତ୍ତି ଏୟାର ପୋର୍ଟର ସଞ୍ଚାଳନ ଓ ବିକାଶ ବାବଦ ବ୍ୟୟକୁ ଧ୍ୟାନରେ ରଖି ନିଆଯାଇଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କ ନିମନ୍ତେ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ତେବେ ଏଥିରୁ ଡୋମେଷ୍ଟିକ୍ ଯାତ୍ରୀଙ୍କୁ ବାଦ ଦିଆଯାଇଛି। ଏହି ନିଷ୍ପତ୍ତି ଦିଲ୍ଲୀରୁ ବିଦେଶ ଯାତ୍ରା କରୁଥିବା ବିମାନ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟକୁ ଆହୁରି ବଢାଇ ପାରେ। ଏହି ନିଷ୍ପତ୍ତି ଅନୁସାରେ ଇକୋନମୀ କ୍ଲାସ୍ (ଅନ୍ତରରାଷ୍ଟ୍ରୀୟ ପ୍ରସ୍ଥାନ) ନିମନ୍ତେ ୟୁଡିଏଫ ୪୦୦ ପ୍ରତିଶତ ବୃଦ୍ଧି ହେବ। ଏଥି ପାଇଁ ଏବେ ଯାତ୍ରୀଙ୍କୁ ମାତ୍ର ୧୨୯ ଟଙ୍କା ପୈଠ କରିବାକୁ ପଡୁଛି।
ସେହିପରି ବିଜନେସ୍ କ୍ଲାସ୍ ନିମନ୍ତେ ୟୁଡିଏଫ ୫୨୭ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ଯାତ୍ରୀ ଦେଉଥିବା ୧୨୯ ଟଙ୍କା ସ୍ଥାନରେ ୮୧୦ ଟଙ୍କା ଦେବାକୁ ପଡିବ। ତେବେ ଅନ୍ତର୍ଜାତୀୟ ଆଗମନ ନିମନ୍ତେ ଏହି ଫି ଯଥାକ୍ରମେ ୨୭୫ ଓ ୩୪୫ ଟଙ୍କା ଦେବାକୁ ପଡିବ। ତେବେ ଘରୋଇ ଯାତ୍ରୀଙ୍କ ନିମନ୍ତେ ୟୁଡିଏଫରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବ ଭଳି ୧୨୯ ଟଙ୍କା ରହିବ। କାରଣ ଏହି ଯାତ୍ରୀମାନେ ଏୟାରପୋର୍ଟ ଟ୍ରାଫିକର ୮୦ପ୍ରତିଶତ।