ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଏପ୍ରିଲ ୧ ତାରିଖରେ ସୁନା ସର୍ବୋଚ୍ଚ ସ୍ତର ଛୁଇଁଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୯୫୧ ଟଙ୍କା ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୯୧,୧୧୫ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହା ୮୯,୧୬୪ ଟଙ୍କା ଥିଲା। ତେବେ ଆଜି ରୁପା ଦାମ ହ୍ରାସ ପାଇଛି। ଏକ କିଲୋ ରୁପାର ମୂଲ୍ୟ ୧,୨୫୧ ଟଙ୍କା ହ୍ରାସ ପାଇ ୯୯,୬୪୧ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧,୦୦,୮୯୨ ଟଙ୍କା ଥିଲା।
ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୧୪,୯୫୩ ଟଙ୍କା ମହଙ୍ଗା ହେଲାଣି। ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୧୬୨ ଟଙ୍କାରୁ ୧୪,୯୫୩ ଟଙ୍କା ବୃଦ୍ଧି ପାଇ ୯୧,୧୧୫ ଟଙ୍କା ହେଲାଣି। ସେହିପରି ରୁପାର ମୂଲ୍ୟରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ରୁପା କିଲୋଗ୍ରାମ ପିଛା ୮୬,୦୧୭ ଟଙ୍କାରୁ ୧୩,୬୨୪ ଟଙ୍କା ବୃଦ୍ଧି ପାଇ ୯୯,୬୪୧ ଟଙ୍କା ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ, ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।
ପଢନ୍ତୁ- ମହଙ୍ଗା ହେଲା ଟୋଲ ଟ୍ୟାକ୍ସ: ଦେବାକୁ ପଡ଼ିବ ୫% ଅଧିକ
କାହିଁକି ବଢ଼ୁଛି ସୁନା ? ଜାଣନ୍ତୁ ୪ କାରଣ
୧. ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଭୂ-ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି।
୨. ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ସୁନା ମହଙ୍ଗା ହେଉଛି।
୩. ଷ୍ଟକ୍ ବଜାରରେ ବଢ଼ୁଥିବା ଅସ୍ଥିରତା ଯୋଗୁ ଲୋକମାନେ ସୁନାରେ ନିବେଶ ବୃଦ୍ଧି କରୁଛନ୍ତି।
୪. ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟ ସୁନାର ମୂଲ୍ୟକୁ ସମର୍ଥନ କରୁଛି।
ସୁନା ଦାମ ବୃଦ୍ଧି ଯୋଗୁ ଠକାମୀ ବଢ଼ୁଛି। କେମିତି ଜାଣିବେ ଅରଜିନାଲ ସୁନା?
ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଦ୍ୱାରା ପ୍ରମାଣିତ ହଲମାର୍କ ହୋଇଥିବା ସୁନା କିଣନ୍ତୁ। ସୁନାରେ ଏକ 6 ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ। ଏହି ନମ୍ବର ଆଲ୍ଫାନ୍ୟୁମେରିକ ଅର୍ଥାତ୍ ଏହିପରି AZ4524 କିଛି ଲେଖା ହୋଇଥାଏ। ଏହି ହଲମାର୍କିଂ ମାଧ୍ୟମରେ ଆପଣ କିଣିଥିବା ସୁନା କେତେ କ୍ୟାରେଟ୍ ତାହା ଜାଣିବା ସମ୍ଭବ ହୋଇଥାଏ। ତେଣୁ ସର୍ବଦା ହଲ୍ମାର୍କ ଓ ଆଲ୍ଫାନ୍ୟୁମେରିକ ନମ୍ବର ଥିବା ସୁନା କିଣନ୍ତୁ।
ପଢନ୍ତୁ- ପୁଟିନଙ୍କ ଜିଦ୍ ଓ ଟ୍ରମ୍ପଙ୍କ ଧମକ, ଭାରତରେ ଆହୁରି ବଢିବ ପେଟ୍ରୋଲ ଦର!