ଜାମ୍ମୁ କାଶ୍ମୀରରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ୫୮% ଭୋଟିଂ ରେକର୍ଡ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ବୁଧବାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । କେନ୍ଦ୍ର ଶାସିତ ପ୍ରଦେଶର ୭ ଜିଲ୍ଲାର ୨୪ ଆସନରେ କୌଣସି ଅପ୍ରିତିକର ଖବର ସାମନାକୁ ଆସି ନାହିଁ । ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ସଂଧ୍ୟା ୭ଟା ୩୦ ସୁଦ୍ଧା ୫୮.୮୫ ପ୍ରତିଶତ ମତଦାନ ହୋଇଛି ।  

ପ୍ରଥମ ପର୍ଯ୍ୟାୟରେ ୨୪ ଆସନରେ ହୋଇଥିବା ମତଦାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀଙ୍କ ଝିଅ ଇଲତିଜା ମୁଫତୀଙ୍କ ସମେତ ୨୧୯ ଜଣ ମୈଦାନରେ ଅଛନ୍ତି । ଜାମ୍ମୁ କାଶ୍ମୀର ନିର୍ବାଚନ ଆୟୋଗ ପୋଲିଂ ବୁଥ୍‌ରେ ଲୋକଙ୍କ ଭିଡ଼ ଦେଖି ଏଥର ରେକର୍ଡ ମତଦାନ ହୋଇପାରେ ବୋଲି ଅନୁମାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି ।

ଇସିଆଇଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ତଥ୍ୟ

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ଇଣ୍ଡେରୱାଲରେ ସର୍ବାଧିକ ୮୦.୦୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏହାପରେ ପାଦେର-ନାଗସେନିରେ ୭୬.୮୦ ପ୍ରତିଶତ ଏବଂ କିସ୍ତୱାଡାରେ ୭୫.୦୪ ପ୍ରତିଶତ ରହିଛି । ପଶ୍ଚିମ ଡୋଡ଼ାରେ ମଧ୍ୟ ସର୍ବାଧିକ ୭୪.୧୪ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ସେହିପରି କାଶ୍ମୀର ଉପତ୍ୟକାର ପାହଲଗାମରେ ସର୍ବାଧିକ ୬୭.୮୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତ୍ରାଲରେ ସର୍ବନିମ୍ନ ୪୦.୫୮ ପ୍ରତିଶତ ମତଦାନ ହୋଇଛି । ତେବେ ପୁଲୱାନ ଜିଲ୍ଲାରେ ଥିବା ଚାରି ବିଧାନସଭା କ୍ଷେତ୍ରରେ ମତଦାନ ୫୦ ପ୍ରତିଶତ ଟପି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.