ନଭେମ୍ୱର ୨୫ରୁ ସଂସଦର ଶୀତ ଅଧିବେଶନ ! ଗୋଟିଏ ଦିନ ପୁରୁଣା ସଂସଦ ଭବନରେ ବସିବେ ସାଂସଦ, ଜାଣନ୍ତୁ କାହିଁକି

Published By : Prameya-News7 Bureau | November 01, 2024 IST

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି ।

ନଭେମ୍ୱର ୨୬ରେ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନ ଡକାଯାଇପାରେ । ଭାରତର ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗୃହୀତ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦର ମିଳିତ ଅଧିବେଶନ ହୋଇପାରେ । ଦିନିକିଆ ସଂଯୁକ୍ତ ଅଧିବେଶନ ପୁରୁଣା ସଂସଦ ଭବନରେ ହୋଇପାରେ । ଏହି ସ୍ପେଶାଲ୍ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ ସ୍ଥିତି ସମ୍ୱିଧାନ ଭବନରେ ବ୍ୟବସ୍ଥା କରାଯାଇପାରେ । ଏହି ସ୍ଥାନରେ ୧୯୪୯ ନଭେମ୍ୱର ୨୬ ତାରିଖରେ ସମ୍ୱିଧାନକୁ ଗ୍ରହଣ କରାଯାଇଥିଲା । ଏଥିପାଇଁ ନଭେମ୍ୱର ୨୬କୁ ସାରା ଦେଶରେ ସମ୍ୱିଧାନ ଦିବସ ରୂପେ ପାଳନ କରାଯାଉଛି । ନଭେମ୍ୱର ୨୬କୁ ପୂର୍ବେ ରାଷ୍ଟ୍ରୀୟ ଆଇନ ଦିବସ ରୂପେ ପାଳନ କରାଯାଉଥିଲା, କିନ୍ତୁ ୨୦୧୫ରେ ମୋଦୀ ସରକାର ଏହି ଦିନକୁ ସମ୍ୱିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ୱିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା । 

ତେବେ ଏଠି କୌତୁହଳର ବିଷୟ ଏହା ଯେ ଉଭୟ ଶାସକ ଏବଂ ବିରୋଧୀ ନିଜକୁ ସମ୍ୱିଧାନର ରକ୍ଷକ ବୋଲି କହୁଛନ୍ତି । ଏହାସହ ଜଣେ ଅନ୍ୟ ଜଣଙ୍କୁ ସମ୍ୱିଧାନର ଶତ୍ରୁ ଦର୍ଶାଇବା ପାଇଁ ଅନେକ ଟିପ୍ପଣୀ ମଧ୍ୟ କରନ୍ତି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ମୋଦୀ ସରକାର କ୍ଷମତାକୁ ଆସିଲେ ସମ୍ୱିଧାନର ବିପଦରେ ପଡ଼ିବ ବୋଲି ପ୍ରଚାର କରୁଥିଲେ । ତେବେ ମୋଦୀ ସରକାର ତୃତୀୟ ଥର କ୍ଷମତାକୁ ଫେରିବା ପରେ ଜୁନ୍ ୨୫କୁ ସମ୍ୱିଧାନ ହତ୍ୟା ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.