ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶକ୍ତି ଗ୍ୟାରେଣ୍ଟି ଯୋଜନା ଉପରେ କଂଗ୍ରେସ ବ୍ୟାକ୍ଫୁଟରେ ରହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ଦ୍ୱାରା ଡିକେ ଶିବକୁମାରଙ୍କୁ ସମାଲୋଚନା କରାଯିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଏବେ କଂଗ୍ରେସ ବୁଝି ସାରିଥିବ ଯେ ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ ପୂରଣ କରିବା କଂଗ୍ରେସ ପାଇଁ କାଠିକର ପାଠ ।
ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, 'କଂଗ୍ରେସ ପାର୍ଟି ଏବେ ଏହା ଭଲ ଭାବେ ବୁଝି ସାରିଥିବ ଯେ ଅବାସ୍ତବ ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ ସଠିକ୍ ଭାବେ ଲାଗୁ କରିବା କଠିନ କମ୍ୱା ଅସମ୍ଭବ ଅଟେ । ପ୍ରତି ନିର୍ବାଚନରେ ସେମାନେ ଲୋକଙ୍କୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ତାହା କେବେ ପୂରଣ କରିପାରିବେ ନାହିଁ ବୋଲି ସେମାନେ ଜାଣିଥାନ୍ତି । ଏବେ ଲୋକଙ୍କ ସାମନାରେ ସବୁ ପର୍ଦ୍ଦାଫାସ୍ ହୋଇଛି ।'
ପିଏମ୍ ମୋଦୀ କହିଛନ୍ତି ଯେ କଂଗ୍ରେସ ସରକାର ଥିବା ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲଙ୍ଗାନାରେ ବିକାଶର ସ୍ଥିତି ଖରାପ ହୋଇଛି ଏବଂ ସେମାନଙ୍କ ପ୍ରତିଶ୍ରୁତି ଅଧାରେ ରହିଛି । ଏହା ସେହି ରାଜ୍ୟର ଲୋକଙ୍କ ସହ ଏକ ଭୟଙ୍କର ଧୋକା ଅଟେ । ପିଏମ୍ ମୋଦୀ କହିଛନ୍ତି ଯେ ଗରିବ, ଯୁବ, ଚାଷୀ ଏବଂ ମହିଳା ଏହି ପ୍ରକାର ରାଜନୀତିର ଶିକାର ହେଉଛନ୍ତି । ସେମାନେ କେବଳ ପ୍ରତିଶ୍ରୁତିର ଲାଭରୁ ବଞ୍ଚିତ ହେଉନାହାନ୍ତି ବରଂ ବର୍ତ୍ତମାନର ଯୋଜନାଗୁଡ଼ିକ ମଧ୍ୟ ଦୁର୍ବଳ ହେଉଛି ।
The Congress Party is realising the hard way that making unreal promises is easy but implementing them properly is tough or impossible. Campaign after campaign they promise things to the people, which they also know they will never be able to deliver. Now, they stand badly…
— Narendra Modi (@narendramodi) November 1, 2024
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'କଂଗ୍ରେସ ବିକାଶ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅଭ୍ୟନ୍ତରୀଣ ରାଜନୀତିରେ ବ୍ୟସ୍ତ ରହିଛି । ବର୍ତ୍ତମାନ କାର୍ଯ୍ୟକାରୀ ଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ମଧ୍ୟ ଫେରାଇ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି । ହିମାଚଳ ପ୍ରଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଠିକ୍ ସମୟରେ ମିଳୁ ନାହିଁ, ତେଲେଙ୍ଗାନାରେ ଚାଷୀ ଋଣ ଛାଡ଼କୁ ଅପେକ୍ଷା କରି ରହିଛନ୍ତି । ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ଭର୍ତ୍ତା ପ୍ରତିଶ୍ରୁତି ଦେଇଥିଲା, ଯାହା ପାଞ୍ଚ ବର୍ଷ ଯାଏ ଲାଗୁ ହେଲା ନାହିଁ । ଦେଶବାସୀ କଂଗ୍ରେସ ଦ୍ୱାରା ପ୍ରାୟୋଜିତ ମିଛ ପ୍ରତିଶ୍ରୁତିର ସଂସ୍କୃତିକୁ ନେଇ ସତର୍କ ରହିବା ଦରକାର ।'