ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଶିବସେନା ପ୍ରାର୍ଥୀ ଶାଇନା ଏନସି, କହିଲେ- ମୁଁ ମାଲ ନୁହେଁ, ମହିଳା

Published By : Prameya-News7 Bureau | November 01, 2024 IST

ମୁମ୍ବାଇ ୧।୧୧: ମୁମ୍ବାଇର ମୁମ୍ବାଦେବୀ ଆସନରୁ ଶିବସେନା ପ୍ରାର୍ଥୀ ଶାଇନା ଏନସି ଶୁକ୍ରବାର ଶିବସେନା (ୟୁବିଟି) ସାଂସଦ ଅରିବନ୍ଦ ସାୱନ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ସାୱନ୍ତ ଶିବସେନା ପ୍ରାର୍ଥୀଙ୍କ ନିମନ୍ତେ ‘ଇମ୍ପୋର୍ଟେଡ ମାଲ’ ଶବ୍ଦ ପ୍ରୟୋଗ କରିଛନ୍ତି, ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଶାଇନା ଏନସି ସାୱନ୍ତଙ୍କ ବିରୋଧରେ ପୋଲିସକୁ ଏଫଆଇର ଦେଇଛନ୍ତି। ସେ କହିଛନ୍ତି ‘ମୁଁ ମାଲ ନୁହେଁ, ମହିଳା, ମାମଲାରେ ଉଦ୍ଧବ ଠାକରେ ଚୁପ ବସିଛନ୍ତି, ନାନା ପଟୋଲେ ମଧ୍ୟ ଚୁପ ହେଲେ ମୁମ୍ବାଇର ମହିଳାମାନେ ଚୁପ ରହିବେନି’। 

ମୁମ୍ବାଇର ନାଗପାଡା ଥାନାରେ ଏତଲା ରୁଜୁ କରିବା ପରେ ଶାଇନା ଏନସି କହିଛନ୍ତି ଯେ ସେକ୍ସନ ୭୯ ଓ ସେକ୍ସନ ୩୫୬(୨)ଧାରାରେ ଏଫଆଇଆର ରୁଜୁ ହୋଇଛି। ସେ ମୋ ପାଇଁ ଭୁଲ ଶବ୍ଦ ବ୍ୟବହାର କରିଛନ୍ତି, ମୁଁ ସକ୍ରିୟ ରୂପେ କାମ କରିବାକୁ ଆସିଛି, ମୋ କାମକୁ ନେଇ ଚର୍ଚ୍ଚା କରିବାର ଅଛି ତ କରନ୍ତୁ , ମୋତେ ଇମ୍ପୋର୍ଟେଡ ମାଲ ନ କୁହନ୍ତୁ। ଏବେ ଆଇନକୁ ତା କାମ କରିବାକୁ ଦିଅନ୍ତୁ, ମୋତେ ଯାହା କରିବାର ଥିଲା ମୁଁ କରିଦେଇଛି ବୋଲି ଶାଇନା ଏନସି କହିଛନ୍ତି। 


ଶାଇନା କହିଛନ୍ତି ଯେ ଆମେ ସମସ୍ତେ ଜାଣିଛେ ମହାବିନାଶ ଅଘାଡି ମହିଳାଙ୍କ ସମ୍ମାନ କରେ ନାହିଁ। ଆମେ ସବୁ ଲକ୍ଷ୍ମୀ ପୂଜା କଥା କହୁଛେ, ଲକ୍ଷ୍ମୀ ପୂଜାର ଦିନ ଏକ ଶୁଭ ଅବସର, ଏଥିରେ ଅରବିନ୍ଦ ସାୱନ୍ତ କହୁଛନ୍ତି କଣ ନା ମୁଁ ଇମ୍ପୋର୍ଟେଡ ମାଲ? ମାଲ ଅର୍ଥାତ ଆଇଟମ, ସାର୍ବଜନିକ ଜୀବନରେ ମୁଁ ୨୦ ବର୍ଷ ବିତାଇଲାଣି, ସମସ୍ତ ଜାଣନ୍ତି ମୁଁ କେଉଁ ନିଷ୍ଠାର ସହ କାମ କରେ। ମା ମୁମ୍ବା ଦେବୀଙ୍କ ଆଶିର୍ବାଦ ମୁଁ ମହିଳା କିନ୍ତୁ ମାଲ ନୁହେଁ । ଯିଏ କେହି ବି ମହିଳା ହୁଅନ୍ତୁ ନା କାହିଁକି ଅଭଦ୍ର ଭାଷା ବିରୋଧରେ ଆଇନ ତା କାମ କରିବ ବୋଲି ଶାଇନା କହିଛନ୍ତି। 


ଶିବସେନା ନେତା କହିଛନ୍ତି ଯେ ‘ଗୋଟିଏ କଥା ବୁଝିବା ଆବଶ୍ୟକ, ଯେତେବେଳେ ଆପଣ ଜଣେ ମହିଳାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରନ୍ତି, ସବୁ ମହିଳା ଚୁପ ରହିବେ ଏହା ଭାବିବା ଭୁଲ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହିଳାଙ୍କ ପାଇଁ ଲାଡଲୀ ବହନ ଭଳି ଯୋଜନା ଚଳାଉଥିବା ବେଳେ ଏପରି ଶବ୍ଦ ଉଦ୍ଧବଙ୍କ ନେତାଙ୍କ ମୁହଁରେ ଶୋଭା ପାଏନା । ଶାଇନା କହିଛନ୍ତି ଯେ ମୁଁ ମୁମ୍ବାଇର ଝିଅ। ମହାରାଷ୍ଟ୍ରର ମହିଳା ଏହାର ଜବାବ ନିଶ୍ଚିତ ଦେବେ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.