ଜଜ୍‌ଙ୍କ ଘରୁ ଟଙ୍କା ମିଳିଲା ଓ FIR ହେଲାନି, କିନ୍ତୁ ନ୍ୟାୟପାଳିକା ରାଷ୍ଟ୍ରପତିଙ୍କ ଉପରେ ପ୍ରଶ୍ନ ଉଠାଇ ପାରିବ: ଉପରାଷ୍ଟ୍ରପତି

Published By : Prameya-News7 Bureau | April 17, 2025 IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ନ୍ୟାୟପାଳିକା ଉପରେ କଡ଼ା ଟିପ୍ପଣୀ କରିଛନ୍ତି । ବିଧାନସଭାରୁ ପାରିତ ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟ ସମୟ ସୀମା ଧାର୍ଯ୍ୟ ଉପରେ ସେ ଆପତ୍ତି ଉଠାଇଛନ୍ତି । ନ୍ୟାୟପାଳିକା ପାଇଁ ସେ କଡ଼ା ଶବ୍ଦ ପ୍ରୟୋଗ କରି କହିଛନ୍ତି ଏଭଳି ସ୍ଥିତି ସୃଷ୍ଟି କରାଯାଇପାରିବ ନାହିଁ, ଯେଉଁଠି ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବେ । ଏହାସହ ସେ କହିଛନ୍ତି ଯେ ସମ୍ୱିଧାନର ଧାରା ୧୪୨, ଯାହା ସୁପ୍ରିମକୋର୍ଟଙ୍କୁ ସ୍ୱତନ୍ତ୍ର ଅଧିକାର ଦେଉଛି, ତାହା ବର୍ତ୍ତମାନ ସାମ୍ୱିଧାନିକ ଶକ୍ତି ବିରୋଧରେ ଆଣବିକ ଅସ୍ତ୍ର ପଲାଟିଛି । ନ୍ୟାୟପାଳିକା ପାଖରେ ଏହା ୨୪x୭ ଉପଲବ୍ଧ ରହିଛି ।

ନ୍ୟାୟପାଳିକା ଦ୍ୱାରା କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାରେ ହସ୍ତକ୍ଷେପକୁ ନେଇ ମଧ୍ୟ କଡ଼ା ପ୍ରଶ୍ନ କରିଛନ୍ତି । ନିକଟରେ ଜଣେ ଜଜଙ୍କ ସରକାରୀ ଘରୁ ମିଳିଥିବା କ୍ୟାସ୍ ମାମଲାରେ ଏଫଆଇଆର୍ ନହେବା ଉପରେ ସେ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ଯେ ଦେଶ ଏପରି ଗଣତନ୍ତ୍ରର କଳ୍ପନା କରିନଥିଲା, ଯେଉଁଠି ଜଜ୍ ଆଇନ ତିଆରି କରିବେ, କାର୍ଯ୍ୟପାଳିକାର କାର୍ଯ୍ୟ ବି ନିଜେ ଦେଖିବେ ଓ ସୁପର ସଂସଦ ଭାବେ କାମ କରିବେ । 

ରାଜ୍ୟସଭାର ଷଷ୍ଠ ଇଣ୍ଟର୍ନ ବ୍ୟାଚକୁ ସମ୍ୱୋଧିତ କରି ଉପରାଷ୍ଟ୍ରପତି ଦିଲ୍ଲୀ ହାଇକୋର୍ଟର ନ୍ୟାୟଧୀଶ ୟଶୱନ୍ତ ବର୍ମାଙ୍କ ଘରୁ ପ୍ରଚୁର ନଗଦ ରାଶି ମିଳିବା ଘଟଣା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ୧୪ ଓ ୧୫ ରାତିରେ ଦିଲ୍ଲୀରେ ଜଣେ ଜଜ୍‌ଙ୍କ ଘରେ ଏକ ଘଟଣା ଘଟିଲା । ସାତ ଦିନ ଯାଏ କେହି ଏହା ବାବଦରେ କିଛି ଜାଣିପାରିଲେ ନାହିଁ । ଆମେ ନିଜକୁ ପ୍ରଶ୍ନ କରିବାକୁ ପଡ଼ିବ । ଏହି ବିଳମ୍ୱକୁ କଣ ବୋଲି ବୁଝିବା ? କଣ ଏହାକୁ କ୍ଷମା କରାଯାଇପାରିବ ? କଣ ଏଥିରୁ କିଛି ମୌଳିକ ପ୍ରଶ୍ନ ଉଠିବ ନାହିଁ ? ମାର୍ଚ୍ଚ ୨୧ରେ ଖବର କାଗଜରେ ପ୍ରକାଶ ପାଇବା ପରେ ଏହାର ଖୁଲାସା ହୋଇଥିଲା, ଯାହାକୁ ନେଇ ଦେଶବାସୀ ଚକିତ ହୋଇଥିଲେ ।

ଏନଡିଟିଭି ରିପୋର୍ଟ ଅନୁସାରେ ଉପରାଷ୍ଟ୍ରପତି କହିଛନ୍ତି, 'ଏହାପରେ, ସୌଭାଗ୍ୟକୁ ସର୍ବାଜାନୀନ ସ୍ଥାନରେ ଆମ ପାଖରେ ସରକାରୀ ଉତ୍ସ, ଭାରତର ସର୍ବୋଚ୍ଚ ନ୍ୟାୟଳୟରୁ ଇନପୁଟ୍ ଥିଲା । ଏହି ଇନପୁଟ୍ ଅପରାଧବୋଧର ସଂକେତ ଦେଲା । କିଛି ଗଡ଼ବଡ଼ ନେଇ ଇନପୁଟରୁ ସନ୍ଦେହ ହେଲାନି । କିଛି ତଦନ୍ତର ଆବଶ୍ୟକତା ରହିଛି । ଏବେ ପୂରା ଦେଶ ଅପେକ୍ଷା କରି ରହିଛି । ଦେଶ ଚିନ୍ତିତ ଅଛି, କାହିଁକି ଆମ ସଂସ୍ଥାନ ମଧ୍ୟରୁ ଗୋଟିଏ, ଯାହାକୁ ଲୋକେ ସବୁବେଳେ ସର୍ବୋଚ୍ଚ ସମ୍ମାନ ସହ ଦେଖିଛନ୍ତି, ଆଜି କାଠଗଡ଼ାରେ ଅଛି ।'  

ଉପରାଷ୍ଟ୍ରପତି କହିଛନ୍ତି ଯେ ନଗଦ ରାଶି ମିଳିବା ପରେ ଜଜଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଗଲା ନାହିଁ । ସେ କହିଛନ୍ତି, 'ଦେଶରେ କାହା ବିରୋଧରେ ବି ଏଫ୍‌ଆଇଆର୍ ରୁଜୁ କରାଯାଇପାରିବ । ଯେକୌଣସି ସାମ୍ୱିଧାନିକ ଅଧିକାରୀଙ୍କ ବିରୋଧରେ ବି, ଆପଣଙ୍କ ସାମନାରେ ଥିବା ବ୍ୟକ୍ତିଙ୍କ ବିରୋଧରେ ବି । ଜଣେ କେବଳ ଆଇନର ଶାସନକୁ ସକ୍ରିୟ କରିବା ଦରକାର । କାହାର ବି ଅନୁମତି ନେବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ସେ ନ୍ୟାୟଧୀଶ ଅଟନ୍ତି, ସେମାନଙ୍କ ଶ୍ରେଣୀରେ ସିଧାସଳଖ ଏଫଆଇଆର୍ ରୁଜୁ କରାଯାଇପାରିବ ନାହିଁ । ଏହାକୁ ନ୍ୟାୟପାଳିକାରେ ଜରୁରି ଆନୁମୋଦନ ଦରକାର, କିନ୍ତୁ ଏହା ସମ୍ୱିଧାନାରେ ଦିଆଯାଇ ନାହିଁ ।'

ଉପରାଷ୍ଟ୍ରପତି କହିଛନ୍ତି, 'ଭାରତର ସମ୍ୱିଧାନ କେବଳ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପ୍ରଦାନ କରୁଛି । ତେଣୁ ଆଇନରୁ ଉର୍ଦ୍ଧ୍ୱରେ ଗୋଟିଏ ବର୍ଗକୁ କିପରି ସୁରକ୍ଷା ପ୍ରଦାନ ମିଳିଛି ? ପ୍ରତ୍ୟେକ ଭାରତୀୟ, ଯୁବ ଓ ବୟସ୍କ ଏହାକୁ ନେଇ ଚିନ୍ତିତ ଅଛନ୍ତି । ଯଦି ଏହି ଘଟଣା ଅନ୍ୟ କାହା ଘରେ ଘଟିଥାନ୍ତା, ତେବେ ଏହା ଇଲେକ୍ଟ୍ରୋନିକ୍ ରକେଟ୍ ପାଲଟିଥାନ୍ତା । କିନ୍ତୁ ବର୍ତ୍ତମାନ ଏହାର ଗତି ଶଗଡ଼ ଗାଡ଼ିଠୁ ମଧ୍ୟ ମନ୍ଥର ରହିଛି ।'

ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି ଯେ କୌଣସି ବି ତଦନ୍ତ କାର୍ଯ୍ୟପାଳିକା କ୍ଷେତ୍ରରେ ଆସୁଛି । ତିନି ନ୍ୟାୟଧୀଶଙ୍କ ଏକ ସମିତି ନଗଦ ରାଶି ଜବତ ମାମଲାରେ କାହିଁକି ତଦନ୍ତ କରୁଛି । ସେ ପ୍ରଶ୍ନ କରିଛନ୍ତି, 'ତିନି ନ୍ୟାଶଧୀଶଙ୍କ ଏହି ସମିତିକୁ ସଂସଦରୁ ପାରିତ କୌଣସି ଆଇନ ଅଧିନରେ ମଞ୍ଜୁରି ମିଳିଛି କି ? ନାହିଁ, ଏବଂ କମିଟି କରୁଛି କଣ ? କମିଟି କେବଳ ସୁପାରିଶ କରିପାରିବ । କାହାକୁ ସୁପାରିଶ କରିବେ ? ଏବଂ କଣ ପାଇଁ ? ନ୍ୟାଶଧୀଶଙ୍କ ପାଇଁ ଆମ ପାଖରେ ଯେଉଁ ତନ୍ତ୍ର ଅଛି, ସେଥିରୁ ଅନ୍ତତଃ ଯାହା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ତାହା ସଂସଦ ଦ୍ୱାରା ହିଁ କରାଯାଇପାରିବ । ଦେଶର ନାଗରିକ ଭାବେ ଓ ମୁଁ ଯେଉଁ ପଦରେ ଅଛି, ମୁଁ ଚିନ୍ତିତ ଅଛି । କଣ ଆମେ ଆଇନର ଶାସନକୁ ଦୁର୍ବଳ କରୁନାହୁଁ ?'

ସେ ଆହୁରି କହିଛନ୍ତି ଯେ ଭାରତରେ ରାଷ୍ଟ୍ରପତି ଏକ ଉଚ୍ଚ ପଦ ଓ ସମ୍ୱିଧାନକୁ ବଜାୟ ରଖିବା, ଏହାର ରକ୍ଷା କରିବା ଓ ସୁରକ୍ଷା କରିବା ପାଇଁ ଶପଥ ନେଇଛନ୍ତି । ସେ କହିଛନ୍ତି, 'ନିକଟରେ ଦିଆଯାଇଥିବା ରାୟରେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଆଗଲା । ଆମେ କେଉଁ ଆଡ଼କୁ ଯାଉଛୁ ? ଦେଶରେ କଣ ଚାଲିଛି ? ଆମକୁ ସମ୍ୱେଦନଶୀଳ ହେବାକୁ ପଡ଼ିବ । ରାଷ୍ଟ୍ରପତିଙ୍କୁ ସମୟ ସୀମା ଭିତରେ ନିଷ୍ପତ୍ତି ନେବା ପାଇଁ କୁହାଯାଉଛି, ଆଉ ଯଦି ନୁହେଁ, ତେବେ ଆଇନ କରାଯାଉଛି । ଆମ ପାଖରେ ଏପରି ନ୍ୟାୟଧୀଶ ଅଛନ୍ତି, ଯେଉଁମାନେ ଆଇନ କରିବେ, କାର୍ଯ୍ୟପାଳିକାର କାର୍ଯ୍ୟ ଦେଖିବେ, ସୁପର-ସଂସଦ ଭାବେ କାମ କରିବେ ଓ କୌଣସି ଉତ୍ତରଦାୟୀ ମଧ୍ୟ ରହିବେ ନାହିଁ । କାରଣ ଦେଶର ଆଇନ ସେମାନଙ୍କ ଉପରେ ଲାଗୁ ହେଉ ନାହିଁ ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.