ଅରୁଣାଚଳ ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ କିରଣ ରିଜିଜୁ, ଚୀନ ସୈନିକଙ୍କୁ ପଚାରିଲେ ପ୍ରଶ୍ନ

Published By : Prameya-News7 Bureau | November 01, 2024 IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବୁମଲାରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ସେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ବିକାଶକୁ ପ୍ରଶଂସା କରିବା ସହ ଚୀନ ସହ ତୁଳନା କରିଛନ୍ତି । ରିଜିଜୁ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ଚୀନ ଯବାନଙ୍କ ସହ ଆଲୋଚନା କରି ଏବଂ ଭିତ୍ତିଭୂମିକୁ ଦେଖିବା ପରେ ସମସ୍ତେ ଭାରତର ସୀମା ବିକାଶ ଉପରେ ଗର୍ବ ଅନୁଭବ କରିବେ ।' 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ତୱାଙ୍ଗ ହେଲିପେଡ୍‌ରେ ଦୀପାବଳି ପାଳନ ସହ ଦିନର ଆରମ୍ଭ ହୋଇଛି । ଆମ ସାହସୀ ଯବାନଙ୍କ ସହ ଦୀପାବଳି ପାଳନ କରି ଗର୍ବ ଏବଂ କୃତଜ୍ଞ ଅନୁଭବ କରୁଛି । ସେମାନଙ୍କ ସମର୍ପଣ ଏବଂ ସାହସ କାରଣୁ ଆମ ଦେଶ ସୁରକ୍ଷିତ ଅଛି । ଜୟ ହିନ୍ଦ !’

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରିଜିଜୁ ଚୀନ ସୈନିକଙ୍କୁ ସହ କଥାବର୍ତ୍ତା କରିଥିଲେ । ଏତେ ଉଚ୍ଚରେ ନିଶ୍ୱାସ-ପ୍ରଶ୍ୱାସରେ କିଛି ଅସୁବିଧା ହେଉ ନାହିଁ କି ବୋଲି ଚୀନ ସୈନିକଙ୍କୁ ପଚାରିଥିଲେ । ଏହାର ଜବାବରେ ଚୀନ ସୈନିକ ନାହିଁ ବୋଲି କହିଥିଲେ ।

ଅନ୍ୟପଟେ ଭାରତ ଏବଂ ଚୀନ ମଧ୍ୟରେ ସୈନିକ ଅପସାରଣ ପରେ ଦୁଇ ଦେଶର ଯବାନ ଲାଦଖର ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ଦୁଇ ଦେଶ ସମନ୍ୱିତ ପାଟ୍ରୋଲିଂ ପାଇଁ ସହମତ ହୋଇଛନ୍ତି । ସମନ୍ୱିତ ପାଟ୍ରୋଲିଂର ଅର୍ଥ ଉଭୟ ପକ୍ଷ ପରସ୍ପରର ପାଟ୍ରୋଲିଂ କାର୍ଯ୍ୟକ୍ରମ ସହ ଅବଗତ ରହିବେ । ଦୀପାବଳିରେ ଦୁଇ ଦେଶର ସେନା ଲଦାଖରେ ବିଭିନ୍ନ ପଏଣ୍ଟରେ ମିଠେଇ ଅଦାନ-ପ୍ରଦାନ କରିଥିଲେ । ଭାରତୀୟ ଏବଂ ଚୀନ ସୈନିକ ହଟ୍ ସ୍ପ୍ରିଙ୍ଗ୍ସ, କାରାକୋରମ ପାସ୍, ଦୌଲକ ବେଗ ଓଲ୍ଡି, କୋଙ୍ଗକଲା ଏବଂ ଚୁଷୁଲ-ମୋଲ୍ଡୋ ସୀମା ପଏଣ୍ଟରେ ମିଠେଇ ଆଦାନ-ପ୍ରଦାନ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.