DUSU ଅଧ୍ୟକ୍ଷରୁ ପ୍ରଥମ ଥର ବିଧାୟକ, ଏବେ CM.. ଜାଣନ୍ତୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କିଏ?

Published By : Prameya-News7 Bureau | February 19, 2025 IST

ନୂଆଦିଲ୍ଲୀ ୧୯।୨: ଶାଲିମାର ବାଗ୍ ସିଟରୁ ପ୍ରଥମ ଥର ବିଧାୟିକା ନିର୍ବାଚିତ ରେଖା ଗୁପ୍ତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ଲାଗିଛି। ବିଜେପି ସବୁ କଳ୍ପନାଜଳ୍ପନାରେ ବିରାମ ଲଗାଇ ମହିଳା କାର୍ଡ ଖେଳିଛି ଓ ବୈଶ୍ୟ ସମାଜର ପ୍ରତିନିଧିତ୍ୱ କରୁଥିବା ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ଦିଲ୍ଲୀ ରାମଳିଳା ମୈଦାନରେ ସେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରିବେ। 

ଡିୟୁ ଛାତ୍ରସଂଘ ନିର୍ବାଚନରୁ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା
ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି ଓ କଲେଜ ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ସମ୍ପୃକ୍ତ ଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ)ରେ ସଭାପତି ଓ ସାଧାରଣ ସମ୍ପାଦିକା ନିର୍ବାଚନ ଜିତି ଥିଲେ। ଏହା ଛଡା ସେ ୩ ଥର ଦିଲ୍ଲୀ ନଗରନିଗମରେ କାଉନସିଲର  ଓ ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ (ଏସଡିଏମସି) ମେୟର ମଧ୍ୟ ଥିଲେ। ସେ ଗତ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ସିଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆମ ଆଦମୀ ପାର୍ଟିର ବନ୍ଦନା କୁମାରୀଙ୍କୁ ୩୦ ହଜାର ଭୋଟରେ ପରାସ୍ତ କରିଛନ୍ତି। 

ହରିୟାଣା ଜୁଲାନାରେ ହୋଇଥିଲେ ଜନ୍ମ
ହରିୟାଣା ଜିନ୍ଦର ମୂଳ ବାସିନ୍ଦା ରେଖା ଗୁପ୍ତାଙ୍କ ଜନ୍ମ ୧୯୭୪ ମସିହାରେ ଜୁଲାନାରେ ହୋଇଥିଲା। ତାଙ୍କ ପିତା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରୀ ପାଇବା ପରେ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲା। ତେବେ ତାଙ୍କ ପରିବାର ଏବେବି ଜୁଲାନାରେ ରହି ବ୍ୟବସାୟ କରୁଛନ୍ତି। ଦିଲ୍ଲୀକୁ ଲାଗି ରହିଥିବା ହରିୟାଣା ସହ ସମ୍ପର୍କ ଥିବାରୁ ରେଖା ଗୁପ୍ତାଙ୍କର ତାଙ୍କ ଗୃହ ରାଜ୍ୟକୁ ଯିବା ଆସିବା ରହିଛି। 

ଥିଲେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ
ବିଧାୟକ ନିର୍ବାଚିତ ହେବା ପୂର୍ବରୁ ରେଖା ଗୁପ୍ତା ବିଜେପି ସାଙ୍ଗଠନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ବିଜେପି ଜାତୀୟ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା ଅଛନ୍ତି ଓ ଦିଲ୍ଲୀ ବିଜେପିରେ ସାଧାରଣ ସମ୍ପାଦିକା ପଦ ମଧ୍ୟ ସମ୍ଭାଳୁଛନ୍ତି। ଦିଲ୍ଲୀ ୟୁନିଭର୍ସିଟିର ଦୌଲତ ରାମ କଲେଜରେ ପଢିଥିବା ରେଖା ଗୁପ୍ତା ଏମଏ ଓ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ସବୁଠୁ ଖାସ କଥା ଯାହା ତାହା ହେଉଛି ସେ ଦୀର୍ଘ ସମୟରୁ ଆରଏସଏସର ସକ୍ରିୟ ସଦସ୍ୟା ଅଛନ୍ତି ଓ ସଂଘର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। 

ଛାତ୍ର ଓ ରାଜନୀତି ଜୀବନ
ରେଖା ଗୁପ୍ତା ଦୌଲତ ରାମ କଲେଜରେ ପଢୁଥିବା ବେଳେ ୧୯୯୪-୯୫ରେ ଛାତ୍ରସଂସଦ ସାଧାରଣ ସମ୍ପାଦିକା (ସେକ୍ରେଟାରୀ) ଥିଲେ। ଏହା ପରେ ୧୯୯୫-୯୬ରେ ସେ ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ ସେକ୍ରେଟାରୀ ଥିଲେ। ୧୯୯୬-୯୭ରେ ସେ ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘର ସଭାପତି ନିର୍ବାଚିତ ହୋଇଥିଲେ। ୨୦୦୩-୦୪ରେ ସେ ଦିଲ୍ଲୀ ପ୍ରଦେଶ ମହିଳା ମୋର୍ଚ୍ଚା ସେକ୍ରେଟାରୀ ଥିଲେ। ୨୦୦୪-୦୬ ସେ ବିଜେପି ଯୁବ ମୋର୍ଚ୍ଚାର ନ୍ୟାସନାଲ ସେକ୍ରେଟାରୀ ଥିଲେ। ୨୦୦୭ ମସିହାରେ ରେଖା ଗୁପ୍ତା ପିତମପୁରା ନର୍ଥରୁ କାଉନସିଲର ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ତାଙ୍କୁ ଦିଲ୍ଲୀ ପ୍ରଦେଶ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା  କରାଯାଇଥିଲା। ୨୦୧୦ ମସିହାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ହୋଇଥିଲେ। 

ନାମପ୍ରସ୍ତାବ କରିଛନ୍ତି ପ୍ରବେଶ ବର୍ମା
ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଏବଂ ଓମ ପ୍ରକାଶ ଧନଖଡ଼ଙ୍କୁ ଦିଲ୍ଲୀ ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା। ଉଭୟ ନେତା ଦିଲ୍ଲୀ ବିଧାୟକମାନଙ୍କ ସହିତ ବୈଠକରେ ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ବାଛିଥିଲେ। ବୈଠକରେ ବିଧାୟକ ପ୍ରବେଶ ବର୍ମା ଓ ବିଜେନ୍ଦ୍ର ଗୁପ୍ତା ରେଖାଙ୍କ ନାମ ପ୍ରସ୍ତାବ କରିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ଏବେ ବିଜେପିର ଏକ ଡେଲିଗେସନ ଟିମ୍ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିବେ। ଏହା ପରେ ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରୂପେ ରାମ ଲିଳା ମୈଦାନରେ ଶପଥପାଠ କରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.