ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଗୁରୁବାର ସଂଧ୍ୟାରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ ଏକ ଦଳ ତାଙ୍କ ଉପରେ ନଜର ରଖିଛନ୍ତି । ତେବେ ଶୁକ୍ରବାର ତାଙ୍କୁ ଡିସଚାର୍ଜ କରାଯିବାର ସମ୍ଭାବନା ଅଛି । ୨୦୨୪ ଡିସେମ୍ବରରେ ସୋନିଆ ଗାନ୍ଧୀଙ୍କୁ ୭୮ ବର୍ଷ ହୋଇଥିଲା ।
ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ବି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ପୂର୍ବରୁ ୨୦୨୪ ମାର୍ଚ୍ଚରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥତା କାରଣରୁ, ସୋନିଆ ଗାନ୍ଧୀ ଗତ ବର୍ଷ ଡିସେମ୍ବରରେ କର୍ଣ୍ଣାଟକର ବେଲଗାମରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକରେ ଯୋଗ ଦେଇ ନଥିଲେ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜିକାଲି ରାଜନୀତିରେ ଅଧିକ ସକ୍ରିୟ ନଜର ଆସୁଛନ୍ତି । ସମ୍ପ୍ରତି ସଂସଦର ବଜେଟ୍ ଅଧିବେଶନରେ ସେ ଅନେକ ପ୍ରସଙ୍ଗରେ ତାଙ୍କର ଦାବି ରଖିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କରେ ତାଙ୍କର ବକ୍ତବ୍ୟକୁ ନେଇ ବହୁତ ହଙ୍ଗାମା ବି ହୋଇଥିଲା । ସଂସଦର ମିଳିତ ଅଧିବେଶନରେ ଏକ ଘଣ୍ଟାର ଅଭିଭାଷଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କ 'POOR LADY' ମନ୍ତବ୍ୟ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା ।