ମୁମ୍ବାଇ ୨୦।୧୧: ମହାରାଷ୍ଟ୍ରରେ ଏଥର କାହାର ହେବ ସରକାର? ବିଧାନସଭାର ୨୮୮ ଆସନରେ ହୋଇଥିବା ସୁସ୍ଥ ମତଦାନକୁ ନଜରରେ ରଖି ଏବେ ଏହି ପ୍ରଶ୍ନ ଉଠୁଛି। ଭୋଟିଂ ପରେ ଏଗଜିଟ ପୋଲ ତଥ୍ୟରୁ ବିଶେଷଜ୍ଞ ଏହି ପ୍ରଶ୍ନର ସମାଧାନ ଲାଗି ଉଦ୍ୟମ କରିବେ, ହେଲେ ଗତ କିଛି ସମୟ ହେଲା ଏଗଜିଟ ପୋଲ ଆକଳନ ଭୁଲ ସାବ୍ୟସ୍ତ ହେଉଛି, ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏଣୁ ଏଗଜିଟ ପୋଲ ବାଦେ ଏହି ୪ଟି ଆକଳନରୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଏଥର ମହାରାଷ୍ଟ୍ରରେ କାହାର ହେବାକୁ ଯାଉଛି ସରକାର।
ପ୍ରଥମ ତଥ୍ୟ: ପକେଟ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ପ୍ରଦର୍ଶନ ଉପରେ ନିର୍ଭର
ମହାରାଷ୍ଟ୍ରରେ ଗତ ଲୋକସଭା ନିର୍ବାଚନ ଦୁଇ ପକ୍ଷ ମଧ୍ୟରେ ସୀମିତ ଥିଲା। ଏହା ସତ୍ତ୍ୱେ ବିଧାନସଭାର ୧୦ ଆସନରେ ଛୋଟଛୋଟ ପାର୍ଟି ଓ ସ୍ୱାଧୀନ ପ୍ରାର୍ଥୀ ଭାରି ପଡିଥିଲେ। କୁହାଯାଏ ବିଧାନସଭା ନିର୍ବାଚନରେ ବଞ୍ଚିତ ବିକାଶ ଅଘାଡ଼ି, ବହୁଜନ ବିକାଶ ଅଘାଡ଼ି ଓ ଏଆଇଏମଆଇଏମ ଭଳି ପକେଟ ପାର୍ଟିମାନେ କିଛି ଆସନରେ ଖେଳ କରିଦେଇପାରନ୍ତି। ଏହା ଛଡା ୨୪ରୁ ଅଧିକ ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ମଜଭୁତ ସ୍ଥିତିରେ ଅଛନ୍ତି।
ଦକ୍ଷିଣ ସୋଲାପୁରରେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି। ସିନ୍ଦେଙ୍କ ଝିଅ ଏଠାରୁ ଲୋକସଭା ସାଂସଦ ଅଛନ୍ତି। ୨୦୧୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ୧୩ଟି ଆସନରେ ବିଜୟୀ ହୋଇଥିଲେ। ଏହା ପୂର୍ବ ନିର୍ବାଚନ ଅର୍ଥାତ ୨୦୧୪ରେ ଏହି ସଂଖ୍ୟା ୮ ଆଖପାଖରେ ଥିଲା। ଏଥିରେ ଜଦି ଫଳାଫଳ ଝୁଲା ଆସିଲା ତେବେ ଏହି ସ୍ୱାଧୀନ ପ୍ରାର୍ଥୀମାନେ କିଙ୍ଗମେକର ହେବେ। ସେହିପରି ୨୦୧୯ ବିଧାନସଭା ନିର୍ବାଚନରେ ୧୧ଟି ଛୋଟ ପାର୍ଟି ୧୪ଟି ଆସନ ହାତେଇଥିଲେ। ଏଥର ନିର୍ବାଚନରେ ମଧ୍ୟ ଏହି ଛୋଟ ପାର୍ଟିଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଉଛି।
ଦ୍ୱିତୀୟ ତଥ୍ୟ: ଲୋକସଭାରେ ଏମଭିଏକୁ ମିଳିଥିଲା ସଫଳତା
ଚଳିତ ବିଧାନସଭା ନିର୍ବାଚନରେ ରାଜନୈତିକ ସମୀକରଣ ଯାହା ରହିଛି ତାହା ଗତ ଲୋକସଭା ନିର୍ବାଚନରେ ମଧ୍ୟ ଥିଲା। ଇଣ୍ଡିଆ ମେଣ୍ଟରେ କଂଗ୍ରେସ, ଶିବସେନା(ୟୁବିଟି) ଓ ଏନସିପି (ଶରଦ ଗୋଷ୍ଠୀ) ଭଳି ଦଳମାନେ ସାମିଲ ଥିଲେ। ଅନ୍ୟପଟେ ଏନଡିଏ ମେଣ୍ଟରେ ବିଜେପି, ଶିବସେନା (ସିନ୍ଦେ) ଓ ଏନସିପି (ଅଜିତ) ଥିଲେ। ପ୍ରକାଶ ଆମ୍ବେଦକରଙ୍କ ଭଳି କିଛି ଛୋଟଛୋଟ ପାର୍ଟି ଏକାକୀ ମୈଦାନରେ ଲଢୁଥିଲେ। ଲୋକସଭା ନିର୍ବାଚନରେ ବିଜେପିକୁ ବିଧାନସଭାର ୮୩ଟି ଆସନରେ ବୃଦ୍ଧି ମିଳିଥିଲା। ଅଜିତ ପାୱାରଙ୍କ ପାର୍ଟିକୁ ୬ ଓ ସିନ୍ଦେଙ୍କ ପାର୍ଟିକୁ ୩୮ ସିଟରେ ଅଭିବୃଦ୍ଧି ମିଳିଥିଲା।
ତେବେ ଲୋକସଭା ତୁଳନାରେ ବିଧାନସଭା ନିର୍ବାଚନର ସମିକରଣ ଅଲଗା ହୋଇଥାଏ। ଯେଉଁ ସିଟ୍ ଗୁଡିକରେ ବିଜେପିକୁ ଭାରି ସମର୍ଥନ ମିଳିଥିଲା ସେହି ସବୁ ଆସନରେ ଏବେ ପ୍ରକାଶ ଆମ୍ବେଦକରଙ୍କ ପାର୍ଟି ସମେତ ବହୁଜନ ବିକାଶ ଅଘାଡ଼ି ମଜଭୁତ ସ୍ଥିତିରେ ରହିଛନ୍ତି। ଅନ୍ୟପଟେ ମହାବିକାଶ ଅଘାଡ଼ି ନିଜପଟେ ସମାଜବାଦୀ ପାର୍ଟି ଓ ଶୀତକାରୀ ସଙ୍ଗଠନକୁ ମଧ୍ୟ ଯୋଡିଛି।
ତୃତୀୟ ତଥ୍ୟ : ୬୫ଟି ଆସନରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ଲଢିଛନ୍ତି
ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସରକାର କାହାର ହେବ ଏହାର ନିଷ୍ପତ୍ତି ଆଞ୍ଚଳିକ ଅପେକ୍ଷା ଜାତୀୟ ପାର୍ଟିଙ୍କ ପ୍ରଦର୍ଶନରୁ ନିର୍ଦ୍ଧାରିତ ହେବ। କାରଣ କଂଗ୍ରେସ ୬୫ଟି ଆସନରେ ବିଜେପି ସହ ସିଧାଶଳଖ ପ୍ରତିଦ୍ୱନ୍ଦ୍ୱୀତା କରୁଛି। ଏଥିରୁ ଅଧିକାଂଶ ସିଟ୍ ବିଦର୍ଭ ଅଞ୍ଚଳରେ ରହିଛି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏଠି ଢେର ସଫଳତା ମିଳିଥିଲା। ତେବେ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଅଗ୍ରଣୀ ଭୂମିକା ନିର୍ବାହ କରିଛି।
କୁହାଯାଉଛି ଏହି ୬୫ ସିଟରୁ ଯେଉଁ ଦଳକୁ ଅଧିକ ଆସନ ମିଳିବ ସେହି ଦଳର ମେଣ୍ଟ ସହଜରେ ମ୍ୟାଜିକ ନମ୍ବର ଛୁଇଁପାରିବ। ୨୮୮ ଆସନର ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବା ପାଇଁ ୧୪୫ ମ୍ୟାଜିକ ନମ୍ବର। ଏଥର ବିଜେପି ମହାରାଷ୍ଟ୍ରରେ ୧୬୦ଟି ଆସନରେ ନିର୍ବାଚନ ଲଢୁଛି।
ଚତୁର୍ଥ ତଥ୍ୟ: ମେଣ୍ଟ ସରକାର ହିଁ ହେବ
୧୯୯୫ରୁ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ କୌଣସି ଗୋଟିଏ ପାର୍ଟିକୁ ବହୁମତ ମିଳି ନାହିଁ। ୧୯୯୫ ମସିହାରେ ଶିବସେନା ଓ ବିଜେପି ମିଳିତ ସରକାର କରିଥିଲେ। ୧୯୯୯ରେ କଂଗ୍ରେସ ଓ ଶରଦ ପାୱାରଙ୍କ ପାର୍ଟି ମେଣ୍ଟ କରି ସରକାର କରିଥିବାର ଦୃଷ୍ଟାନ୍ତ ରହିଛି। ୨୦୦୪ରେ ବି କଂଗ୍ରେସ ଓ ଏନସିପି ମେଣ୍ଟ ସରକାର ହୋଇଥିଲା ଓ ୨୦୦୯ ମସିହାରେ ମଧ୍ୟ ଏନସିପି ଓ କଂଗ୍ରେସ ମିଶି ସରକାର କରିଥିଲେ। ୨୦୧୪ରେ ଶିବସେନା ଓ ବିଜେପିର ମିଳିତ ସରକାର ହୋଇଥିଲା। ତେବେ ୨୦୧୯ରେ ମହାବିକାଶ ଆଘାଡ଼ିର ଗଠନ ହୋଇଥିଲା। ଏଥିରେ ଏନସିପି, ଶିବସେନା ଓ କଂଗ୍ରେସ ମିଳିତ ସରକାର କରିଥିଲେ।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ୨୦୨୪ରେ ଆମ ମେଣ୍ଟ ସରକାର କରିବ, ହେଲେ ୨୦୨୯ରେ ଆମେ ଏକାକୀ ସରକାର କରିବୁ। ବିଜେପି ଏଥର ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହିତ ମେଣ୍ଟ କରି ନିର୍ବାଚନ ଲଢିଛି। ଏଠାରେ ମଧ୍ୟ ୩ଟି ପାର୍ଟି ନିଜ ସମର୍ଥ ଅନୁସାରେ ସମାନ ସଂଖ୍ୟକ ସିଟରେ ନିର୍ବାଚନ ଲଢିଛନ୍ତି।