ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ୨ ସେବାୟତ ଆହତ

Published By : Prameya-News7 Bureau | July 09, 2024 IST

ପୁରୀ: ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ୭ ଜଣ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେବାୟତଙ୍କ ପହଣ୍ଡି ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ଠାକୁରଙ୍କ ପହଣ୍ଡିରେ କେଉଁ ସେବାୟତ ରହିବେ ସେ ନେଇ ପୂର୍ବରୁ ସ୍ଥିର ହେବା ସହ ଟ୍ରେନିଂ ଦେବା ଉଚିତ୍।

ଏହା ସମାନ୍ୟ ଘଟଣା। ଆମେ ସବୁ ଦୁଃଖିତ ଓ ମର୍ମାହତ। ଆମେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି କାହାର କିଛି କ୍ଷତି ନ ହେଉ ଆମେ ମହାପ୍ରଭୁଙ୍କୁ କ୍ଷମା ମାଗୁଛୁ ବୋଲି ସୋମନାଥ ଖୁଣ୍ଟିଆ କହିଛନ୍ତି। ପ୍ରାୟ ୮ ଜଣ ଆହତ  ହୋଇଛନ୍ତି। ଆଇନମନ୍ତ୍ରୀ ଆସୁଛନ୍ତି। ମେଡିକାଲ ଯାଉଛନ୍ତି ଦେଖିବାକୁ। ତେବେ ମହାପ୍ରଭୁଙ୍କ ସେବାର କୌଣସି ସମସ୍ୟା ହେବ ନାହିଁ ବୋଲି ସେବାୟତ ଶ୍ରୀ ଖୁଣ୍ଟିଆ କହିଛନ୍ତି।

ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଇନ ମନ୍ତ୍ରୀଙ୍କୁ ପୁରୀ ଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗୋଟିଏ ଦିନର ବିଳମ୍ବ ପରେ ମଙ୍ଗଳବାର ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବେ ଚତୁର୍ଦ୍ଧା ମୂରତି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବଡ ଠାକୁର ଜଗନ୍ନାଥ ଜନ୍ମବେଦୀକୁ ଯାଇଥାନ୍ତେ। ଏହି ସମୟରେ ବିଭ୍ରାଟ ଘଟିଥିଲା।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ। ମଙ୍ଗଳବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା। ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ସନ୍ଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.