ମୁଖ୍ୟମନ୍ତ୍ରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ, ବିକଶିତ ଓଡ଼ିଶାର ରୋଡ୍ ମ୍ୟାପ୍ ପ୍ରସ୍ତୁତି ନେଇ ଆଲୋଚନା

Published By : Prameya-News7 Bureau | February 06, 2025 IST

ଭୁବନେଶ୍ୱର ୦୬/୦୨: ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫେବୃଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ଗ୍ରୋଥ ଏବଂ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । 

ଏହାସହ ଆଗାମୀ ଦିନରେ ଓଡ଼ିଶା କେମିତି  ଗୁରୁତ୍ଵ ଦେବ, ସମୃଦ୍ଧ ଓଡ଼ିଶା କରିବା ପାଇଁ ଚିନ୍ତନ କରାଯାଇଛି । କମିଶନ ୪ ତାରିଖ ଆସିବା ପରେ ଜନଜାତି ସଂଗ୍ରହାଳୟ, କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ । ୫ ତାରିଖ ପୁରୀ ଓ କୋଣାର୍କ ଥିଲେ । ଆଜି ସରକାରଙ୍କ ସହ କମିଶନଙ୍କ ସହ ଆଲୋଚନା ହେଲା । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି । 

କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।  ୨୦୨୬-୨୦୩୧ ଯାଏଁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି । ଏହାକୁ ଆଧାର କରି କମିଶନ ନିକଟରେ ଦାବି ରଖାଯାଇଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ କେମିତି ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । 

କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଓଡ଼ିଶାର ୪.୫୨୮ ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ ୪.୯୬୪ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ୭୫ ପ୍ରତିଶତ କେନ୍ଦ୍ର ଦେଇଥାଏ ଓ ୨୫ ଭାଗ ରାଜ୍ୟ ଦିଏ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ତେଣୁ କେନ୍ଦ୍ର ସରକାର ନିକଟରେ ୧୦୦ ପ୍ରତିଶତ ଦେବା ପାଇଁ ଦାବି ରଖାଯାଇଛି । 

ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ 9,88,422 କୋଟି ଟଙ୍କା ଦାବି ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ ୧ ଲକ୍ଷ ୧୦ ହାଜର ୪୩୪ କୋଟି ଟଙ୍କା ଦାବି କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ ୩୬ କୋଟି ଟଙ୍କା ଦାବି । Sdrf ପାଇଁ ୩୧ ହାଜର ୪ କୋଟି ଟଙ୍କା, sdmf ପାଣ୍ଠିପାଇଁ ୨୯ ହଜର ୨୫୨ କୋଟି ଟଙ୍କା ଦାବି କରାଯାଇଛି । 

ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି ରଖାଯାଇଛି । ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି । ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍, msme ଉପରେ ଫୋକାସ, ବନ୍ଦର ଆଧାରିତ ଅର୍ଥନୀତି ଉପରେ ଫୋକସ, ଦକ୍ଷତା ବିକାଶ ଉପରେ ଫୋକସ ସହ ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.