ବୁଧବାର ମହାକୁମ୍ଭ ମେଳାର ଅନ୍ତିମ ଦିନ, ଶେଷ ସ୍ନାନ ଲାଗି ଲୋକାରଣ୍ୟ ସଂଗମସ୍ଥଳ

Published By : Prameya-News7 Bureau | February 26, 2025 IST

ଭୁବନେଶ୍ୱର ୨୬/୦୨: ଆଜି ମହାଶିବରାତ୍ରି । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଅନ୍ତିମ ଦିନ । ମହାଶିବରାତ୍ରିର ଶେଷ ସ୍ନାନ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପବିତ୍ର ଅବସରରେ ଶ୍ରଦ୍ଧାଳୁମାନଙ୍କୁ କୌଣସି ପ୍ରକାର ସମସ୍ୟା ନ ହେବା ଲାଗି ସୁରକ୍ଷା, ସୁବିଧା ଓ ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଅନୁସାରେ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମିଳିଛି ବ୍ୟବସ୍ଥା ତଦାରଖର ଦାୟିତ୍ୱ । 

ବଦଳିଛି ଟ୍ରାଫିକ୍‌ ପ୍ଲାନ୍‌ । ପୂରା କୁମ୍ଭ କ୍ଷେତ୍ରରେ ଜୋନାଲ୍‌ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ଟ୍ରାଫିକ୍‌ । ମହାକୁମ୍ଭ ନଗରର ଡିଆଇଜି ବୈଭବ କୃଷ୍ଣ କହିଛନ୍ତି, ବୁଧବାର ମହାଶିବରାତ୍ରି ସହିତ ଅନ୍ତିମ ସ୍ନାନ ପଡୁଥିବାରୁ ସମସ୍ତ ଶିବ ମନ୍ଦିର, ସ୍ନାନ ଘାଟରେ ପୁଲିସ ମୁତୟନ ହୋଇଛନ୍ତି । ସନ୍ଧ୍ୟାରୁ ମେଳା କ୍ଷେତ୍ର ପାଲଟଛି ନୋ ଭେଇକିଲ୍‌ ଜୋନ୍‌ । ପ୍ରଶାସନିକ, ଜରୁରିସେବା ଯୋଗାଉଥିବା ଗାଡି଼କୁ ଛାଡ଼ି ଅନ୍ୟ ସବୁ ବାହନର ଏଣ୍ଟ୍ରି ଉପରେ ରୋକ ଲାଗିଛି । ମେଳାର ଅନୁଧ୍ୟାନ ଲାଗି ବାୟୁସେନାର ଯବାନ ବି ମୁତୟନ ହୋଇଛନ୍ତି । 

ଦଳାଚକଟା ଭଳି ଘଟଣାକୁ ଏଡ଼ାଇବା, ଆଇନଶୃଙ୍ଖଳା ବଜାୟ ଲାଗି ଶ୍ରଦ୍ଧାଳୁମାନଙ୍କୁ ନିକଟତମ ଘାଟରେ ସ୍ନାନ, ଶିବାଳୟ ଦର୍ଶନ ସାରି ଘରକୁ ଫେରିବାକୁ ଆହ୍ୱାନ କରାଯାଇଛି । ସେପଟେ ଅନ୍ତିମ ସ୍ନାନ ପୂର୍ବରୁ ବିମାନ ଭଡ଼ା ବଢ଼ିଯାଇଛି । ଦିଲ୍ଲୀରୁ ପ୍ରୟାଗରାଜ ଭଡା ୩୦ ହଜାର ରହିଥିବାବେଳେ ମୁମ୍ବାଇରୁ କୁମ୍ଭନଗରୀକୁ ଆସିବାକୁ ହେଲେ ୨୫ ହଜାର ଟଙ୍କା ଗଣିବାକୁ ପଡ଼ିବ । ମହାଶିବରାତ୍ରିରେ ପ୍ରତିବର୍ଷ ସହରରେ ୧୬ କିମିର ଶୋଭାଯାତ୍ରା ବାହାର କରାଯାଇଥାଏ । ତେବେ ଏଥର ଶ୍ରଦ୍ଧାଳୁମାନଙ୍କର ଭିଡ଼କୁ ଦେଖି ସେହି ଯାତ୍ରା ବାହାର କରାଯିବ ନାହିଁ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ ମେଳା । 

ସରକାରୀ ପରିସଂଖ୍ୟାନ ଅନୁସାରେ, ଅଦ୍ୟାବଧି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିସାରିଛନ୍ତି । ମହାଶିବରାତ୍ରିରେ ହେବାକୁ ଥିବା ଜନସମାଗମକୁ ମିଶାଇଲେ ଏହି ସଂଖ୍ୟା ୬୬ କୋଟି ଟପିପାରେ । ବିଗତ ୧୦ ଦିନ ମଧ୍ୟରେ ପ୍ରତ୍ୟହ ୧.୨୫ କୋଟିରୁ ଅଧିକ ଲୋକ ବିଶ୍ୱର କୋଣ ଅନୁକୋଣରୁ ଆସି ମହାକୁମ୍ଭରେ ବୁଡ଼ ପକାଉଛନ୍ତି । ପୂରା ମେଳା ଅବଧି ମଧ୍ୟରେ ପ୍ରମୁଖ ସ୍ନାନ ଦିନମାନଙ୍କରେ କେବଳ ସଙ୍ଗମରେ ସ୍ନାନ କରିଛନ୍ତି ୧୭ କୋଟି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ସାମିଲ । ସେହିପରି ପ୍ରତ୍ୟେକ ଅମୃତ ସ୍ନାନ ଦିନରେ ୨.୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିଛନ୍ତି । 

ଅନ୍ୟପଟେ ଏତେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ମେଳା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ରାଜ୍ୟ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା । ଡିଜିପି ପ୍ରଶାନ୍ତ କୁମାରଙ୍କ ଅନୁସାରେ, ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଟ୍ରାଫିକ୍‌ ଓ ଭିଡ଼ ପରିଚାଳନା ଲାଗି ନିୟୋଜିତ କରାଯାଇଛି । ସେମାନେ ସହରର ପ୍ରମୁଖ ସ୍ଥାନରେ ଉପସ୍ଥିତ ରହି ଲୋକମାନଙ୍କର ଯାତାୟତକୁ ସୁଗମ କରାଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.