ରିଲ୍‌ ଲାଇଫ୍‌ରେ ‘ଦାଦା' ହେବେ ରାଜକୁମାର ରାଓ, କନଫର୍ମ କଲେ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | February 26, 2025 IST

ମୁମ୍ଵାଇ ୨୬।୦୨; ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। କୁହାଯାଏ ଯେ, ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ ଖେଳକୁ ଆକ୍ରମଣାତ୍ମକ ଢଙ୍ଗରେ ବିସ୍ତାର କରିଥିଲା। ‘ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ତାଙ୍କ ପ୍ରସ୍ତାବିତ ଆଗାମୀ ବାୟୋପିକ ବିଷୟରେ ଅନେକ ଖୁଲାସା କରିଛନ୍ତି।

ଗାଙ୍ଗୁଲି ତାଙ୍କ ଆଗାମୀ ବାୟୋପିକ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘‘ମୁଁ ଯାହା ଶୁଣିଛି, ସେହି ଅନୁସାରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।  କିନ୍ତୁ ତାରିଖକୁ ନେଇ ଏକ ସମସ୍ୟା ଅଛି  । ତେଣୁ ଏହା ପରଦାକୁ ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।’’ ଫିଲ୍ମର ବିଳମ୍ବକୁ ନେଇ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ସାମାନ୍ୟ ନିରାଶ ହୋଇପାରନ୍ତି।

ରାଜକୁମାର ରାଓ 'ଦାଦା' ଚରିତ୍ରରେ ଅଭିନୟ କରିବେ

ଅଭିନେତା ରାଜକୁମାର ରାଓଙ୍କ ନାମ ପୂର୍ବରୁ ଏହି ପ୍ରୋଜେକ୍ଟ ସହିତ ଯୋଡା ଯାଇଥିଲା। ଏବେ ସୌରଭ ଗାଙ୍ଗୁଲି ନିଜେ ଏହାକୁ ନିଶ୍ଚିତ କରିଛନ୍ତି। ରାଜକୁମାର ରାଓ ଗତ ବର୍ଷ 'ସ୍ତ୍ରୀ ୨' ଭଳି ଏକ ସୁପରହିଟ୍ ଫିଲ୍ମ ଦେଇଥିଲେ। ତାଙ୍କ ପାଖରେ ଆହୁରି ଅନେକ ଫିଲ୍ମ ଅଛି। ନିକଟରେ ତାଙ୍କର ଆଗାମୀ ଫିଲ୍ମ 'ଭୁଲ ଚୂକ୍ ମାଫ୍'ର ଟିଜର ମଧ୍ୟ ରିଲିଜ୍ ହୋଇଛି। ରିପୋର୍ଟ ଅନୁସାରେ, ଏହି ବାୟୋପିକର ନିର୍ମାଣ ୨୦୨୧ ମସିହାରେ ଘୋଷଣା କରାଯାଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲିଙ୍କ ଏହି ବାୟୋପିକ୍ ପାଇଁ ରାଜକୁମାର ରାଓଙ୍କ ପୂର୍ବରୁ ଆୟୁଷ୍ମାନ ଖୁରାନା ଏବଂ ରଣବୀର କପୁରଙ୍କୁ ଯୋଗାଯୋଗ କରାଯାଇଥିଲା। କୁହାଯାଏ ଯେ ଆୟୁଷ୍ମାନଙ୍କୁ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ସେ ଫିଲ୍ମ ସାଇନ୍ ମଧ୍ୟ କରିଥିଲେ, କିନ୍ତୁ ପରେ ସେ ଏଥିରୁ ଓହରିଗଲେ। ଏହା ପରେ, ରଣବୀର କପୁରଙ୍କ ନାମ ଏହା ସହିତ ଜଡିତ ହେବା ଆରମ୍ଭ ହେଲା। ଏବେ ରାଜକୁମାର ରାଓଙ୍କ ନାମ ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.