ଦିନିକିଆ ମାନ୍ୟତାରେ ଚମକିଲେ କୋହଲି, ଟପ୍-୫ରେ ମାରିଲେ ଏଣ୍ଟ୍ରି; ଫାଇଦାରେ ଶାମି-କୁଲଦୀପ

Published By : Prameya-News7 Bureau | February 26, 2025 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ଭାରତର ତାରକା ବ୍ୟାଟର ବିରାଟ କୋହଲି, ଦ୍ରୁତ ବୋଲର ମହମ୍ମଦ ଶାମି ଓ ସ୍ପିନର କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି। କୋହଲି ୭୪୩ ରେଟିଂ ପଏଣ୍ଟ ସହ ପୁଣି ଥରେ ଟପ୍-୫ରେ ପ୍ରବେଶ କରିଛନ୍ତି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ କୋହଲି ପାକିସ୍ତାନ ବିପକ୍ଷରେ ୧୧୧ ବଲ୍‌ରୁ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। କୋହଲିଙ୍କ ଦିନିକିଆରେ ୫୧ତମ ଓ ମୋଟ୍ ଉପରେ ୮୨ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। 

ଦିନିକିଆ ଟପ୍-୧୦ ବ୍ୟାଟର ତାଲିକାରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଯୁବ ଓପନର ଶୁଭମନ ଗିଲ୍ ୮୧୭ ରେଟିଂ ସହ ଶୀର୍ଷରେ ଅଛନ୍ତି। ଅଧିନାୟକ ରୋହିତ ଶର୍ମା(୭୫୭) ତୃତୀୟ, ବିରାଟ କୋହଲି(୭୪୩) ପଞ୍ଚମ ଓ ଶ୍ରେୟସ ଆୟର(୬୭୯) ନବମ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନର ତାରକା ବ୍ୟାଟର ବାବର ଆଜମ(୭୭୦) ଦ୍ଵିତୀୟରେ ରହିଛନ୍ତି। ଭାରତର ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ ଦୁଇଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। 

ବୋଲିଂ ମାନ୍ୟତାରେ ମହମ୍ମଦ ଶାମି(୫୯୯) ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।  ବାଂଲାଦେଶ ବିପକ୍ଷରେ ୫୩ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ ଶାମି। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୌଣସି ଓ୍ଵିକେଟ୍ ମିଳି ନ ଥିଲେ ହେଁ ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ଘଟାଇଛନ୍ତି। କୁଲଦୀପ ଯାଦବ ୬୫୬ ପଏଣ୍ଟ ସହ ତୃତୀୟରେ ରହିଛନ୍ତି। ସେ ହିଁ ଏକମାତ୍ର ଭାରତୀୟ ବୋଲର ଭାବେ  ଟପ୍-୧୦ରେ ରହିଛନ୍ତି। 

ଶ୍ରୀଲଙ୍କାର ସ୍ପିନର ମହେଶ ତୀକ୍ଷଣା(୬୮୯) ଶୀର୍ଷରେ ରହିଛନ୍ତି। ଆଫଗାନିସ୍ତାନର ସ୍ପିନର ରଶିଦ ଖାନ(୬୫୮) ଦ୍ଵିତୀୟ ଓ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ(୬୪୧) ଚତୁର୍ଥ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଦୁଇଟି ସ୍ଥାନ ଉପରକୁ ଚଢି ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ସ୍ପିନର ଆଡମ ଜାମ୍ପା ଦୁଇଟି ସ୍ଥାନ ଉନ୍ନତି ଘଟାଇ ଟପ୍-୧୦ରେ ପ୍ରବେଶ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.