ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପାକିସ୍ତାନ ଶୋଚନୀୟ ଭାବେ ପରାଜିତ ହୋଇଛି। ଏହି ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ତେବେ ମ୍ୟାଚ୍ ପରେ ଅବରାର ଅହମ୍ମଦଙ୍କୁ ଖୁବ୍ ସମାଲୋଚନା ଶିକାର ହେବାକୁ ପଡ଼ିଛି। ଅବରାର ନିଜର ୧୦ ଓଭରରେ ମାତ୍ର ୨୮ ରନ ଦେଇ ଗୋଟିଏ ସଫଳତା ପାଇଥିଲେ। ସେ ଯେଉଁ ବଲରେ ଶୁଭମନ ଗିଲ୍ଙ୍କୁ ବୋଲ୍ଡ କରିଥିଲେ ଏହାକୁ ନେଇ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଥିଲା। ମାତ୍ର ଓ୍ଵିକେଟ୍ ନେବା ପରେ ସେ ଯେଉଁଭଳି ଶୈଳୀରେ ଉତ୍ସବ ମନାଇଲେ ଏହାକୁ ନେଇ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି। ଅବରାରଙ୍କୁ କେବଳ ଭାରତୀୟ ପ୍ରଶଂସକ ନୁହନ୍ତି ବରଂ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ମଧ୍ୟ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି।
ମ୍ୟାଚ୍ ପରେ ଓ୍ଵାସିମ ଆକ୍ରମ କହିଛନ୍ତି ଯେ, ଅବରାରଙ୍କ ସେହି ବଲ୍ରେ ସେ ବହୁତ ପ୍ରଭାବିତ ହୋଇଥିଲେ, ମାତ୍ର ତାଙ୍କର ଉତ୍ସବ ପାଳନ ସବୁ କିଛି ଖରାପ କରି ଦେଲା। ଉତ୍ସବ ପାଳନ ପାଇଁ ସମୟ ଓ ସ୍ଥାନ ବୋଲି କିଛି ରହିଥାଏ। ଯଦି ଆପଣ ମ୍ୟାଚ୍ ଜିତୁଛନ୍ତି ତେବେ ଉତ୍ସବ ପାଳନ କରନ୍ତୁ। ଯେବେ ଆପଣ ଜାଣୁଛନ୍ତି ଯେ, ଆପଣଙ୍କ ଟିମ୍ ମୁସ୍କିଲ ସ୍ଥିତିରେ ରହିଛି, ତେବେ ଓ୍ଵିକେଟ୍ ମିଳିଲେ ବି ଆପଣଙ୍କୁ ବିନମ୍ର ରହିବା ଉଚିତ୍। ମାତ୍ର ଅବରାର ଏମିତି କଲେ ନାହିଁ। ଏମିତି କରିବା ଠିକ୍ ନୁହେଁ ବୋଲି ତାଙ୍କୁ ପଡ଼ିଆରେ କହିବାକୁ ସେମିତି ବ୍ୟକ୍ତି ନ ଥିଲେ। ତାଙ୍କ ଓ୍ଵିକେଟ୍ ନେବାରେ ପ୍ରଭାବିତ ହେଲି, ମାତ୍ର ସେଲିବ୍ରେସନ ସବୁ କିଛି ବିଗାଡ଼ି ଦେଲା। ଯଦି ଆପଣ ସାତ ରନ ଦେଇ ୫ ଓ୍ଵିକେଟ୍ ନେଇଥାନ୍ତେ ତେବେ ଏମିତି ଉତ୍ସବ ମନାଇବା ଗ୍ରହଣ ଯୋଗ୍ୟ ହୋଇଥାନ୍ତା ବୋଲି ଓ୍ଵାସିମ ଆକ୍ରମ କହିଛନ୍ତି।
Also read: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ: ରୋମାଞ୍ଚକର ହେଲା ସେମି ରେସ୍
ଗିଲ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବହୁତ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ଶାହୀନ ଶାହ ଆଫ୍ରିଦିଙ୍କ ବିପକ୍ଷରେ ଚମତ୍କାର ସଟ୍ ଖେଳିଥିଲେ। କିନ୍ତୁ ବ୍ୟକ୍ତିଗତ ୪୬ ରନ ସ୍କୋରରେ ତାଙ୍କୁ ଅବରାର କ୍ଲିନ ବୋଲ୍ଡ କରିଥିଲେ। ଲେଗ ଷ୍ଟମ୍ପରେ ପଡ଼ିବା ପରେ ବଲ୍ ବହୁତ ଟର୍ଣ୍ଣ ହୋଇଥିଲା ଏବଂ ଡିଫେନ୍ସ ଉଦ୍ୟମ କରିଥିବା ଗିଲ୍ଙ୍କ ଷ୍ଟମ୍ପ ଉଖାଡ଼ି ଦେଇଥିଲା। ଗିଲ୍ ମଧ୍ୟ ଏହି ବଲ୍ରେ ସଂପୂର୍ଣ୍ଣ ହତଚକିତ ହୋଇ ଯାଇଥିଲେ। ଏହା ପରେ ଅବରାର ତାଙ୍କୁ ପାଭିଲିୟନ ଆଡ଼େ ଯିବାକୁ ଇସାରା କରି ଉତ୍ସବ ମନାଇଥିଲେ।