ରାଓ୍ଵଲପିଣ୍ଡି: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ମଙ୍ଗଳବାର ରାଓ୍ଵଲପିଣ୍ଡିରେ ଖେଳାଯିବ। ତେବେ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ଟସ୍ ପଡ଼ି ପରିନାହିଁ। ବର୍ତ୍ତମାନ ସ୍ଥିତି ଦେଖିଲେ ୨୦-୨୦ ଓଭର ଖେଳ ସମ୍ଭବ। ଭାରତୀୟ ସମୟ ରାତି ୮ଟା ସୁଦ୍ଧା ଯଦି ମ୍ୟାଚ୍ ଆରମ୍ଭ ହୁଏ ତେବେ ତେବେ ୨୦ ଓଭର ଖେଳ ହୋଇ ପାରିବ। ସଦ୍ୟତମ ଖବର ଅନୁଯାୟୀ ସନ୍ଧ୍ୟା ୫ଟା ୩୦ରେ ବି ରାଓ୍ଵଲପିଣ୍ଡିରେ ବର୍ଷା ଲାଗି ରହିଛି।
ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇ ନିଜର ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ନିଜର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇଥିଲା। ତେଣୁ ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। କିନ୍ତୁ ମ୍ୟାଚ୍ରେ ବର୍ଷା ବଡ ବାଧକ ସାଜିଛି।ତିନି ଘଣ୍ଟାରୁ ଅଧିକ ସମୟ ହେବ ରାଓ୍ଵଲପିଣ୍ଡିରେ ବର୍ଷା ଲାଗି ରହିଛି। ଗ୍ରୁପ ବିରେ ଏହି ମୁକାବିଲା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। କାରଣ ଜିତିବା ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବାର ନିକଟତର ହୋଇଥାନ୍ତା।
ଯଦି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଡ୍ର ରହେ ତେବେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଫଳରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ତିନି ତିନି ପଏଣ୍ଟ ମିଳିବ। ଏମିତି ସ୍ଥିତିରେ ଗ୍ରୁପ ବିର ସେମି ଫାଇନାଲ୍ ପାଇଁ ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଅନ୍ୟପଟେ ଇଂଲଣ୍ଡ ଓ ଆଫଗାନିସ୍ତାନ ନିଜ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ଯଦି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍ ଡ୍ର ରହେ ତେବେ ଇଂଲଣ୍ଡ ଓ ଆଫଗାନିସ୍ତାନ ନିଜ ନିଜର ପରବର୍ତ୍ତୀ ମ୍ୟାଚ୍ ଜିତିଲେ ଗ୍ରୁପ ବିରେ ସେମି ଦୌଡ଼ ଆହୁରି ରୋଚକ ହେବ।