କ୍ରିକେଟ ପରେ ଏବେ ୫ ଦଶନ୍ଧୀର ସାମ୍ବାଦିକତାରୁ ବିଦାୟ ନେଲେ ଦିଗ୍ଗଜ କ୍ରିକେଟର ଇୟାନ ଚାପ୍ପେଲ

Published By : Prameya-News7 Bureau | February 24, 2025 IST

ଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ତଥା ଦିଗ୍ଗଜ କ୍ରିକେଟର ଇଆନ ଚାପ୍ପେଲ ରବିବାର ତାଙ୍କ ଶେଷ ସ୍ତମ୍ବ ଲେଖି ୫ ଦଶନ୍ଧୀରୁ ଅଧିକ ସମୟର ସାମ୍ବାଦିକତା କ୍ୟାରିୟରକୁ ଗୁଡବାୟ କହିଛନ୍ତି। ୮୧ ବର୍ଷ ବୟଷ୍କ କ୍ରିକେଟର ଇଏସପିଏନ୍ କ୍ରିକ୍ ଇନଫୋ ଲାଗି ଲେଖିଥିବା ତାଙ୍କର ଶେଷ ସ୍ତମ୍ବରେ ଅନ୍ତର୍ଜାତୀୟ କ୍ରିକେଟର କିଛି ସ୍ମରଣୀୟ କ୍ଷଣର ଉଲ୍ଲେଖ କରିଛନ୍ତି। ସେ ତାଙ୍କ ସ୍ତମ୍ବରେ କହିଛନ୍ତି ଯେ ସାମ୍ବାଦିକତାରୁ ସନ୍ୟାସ ନେବା ମୋ ପାଇଁ ସେତିକି ଭାବନାତ୍ମକ ଯେତିକି କ୍ରିକେଟକୁ ଗୁଡବାୟ କହିବା ବେଳେ ଥିଲା। 

ଅଷ୍ଟ୍ରେଲିଆ ପକ୍ଷରୁ ୭୫ଟି ଟେଷ୍ଟ ମ୍ୟାଚ୍‌ରେ ୫୩୪୫ ରନ କରିଥିବା ଚାପ୍ପେଲ କହିଛନ୍ତି ଯେ ୫୦ରୁ ଅଧିକ ବର୍ଷ ହେଲା ଲେଖି ଆସୁଛି, କିନ୍ତୁ ଏବେ ବିଦାୟ ନେବାର ସମୟ ଆସିଯାଇଛି ଓ ଏହା ମୋ ଦ୍ୱାରା ଲେଖା ଯାଇଥିବା ଶେଷ ସ୍ତମ୍ବ। ସାମ୍ବାଦିକତାକୁ ଗୁଡବାୟ କହିବା ମୋ ପାଇଁ କ୍ରିକେଟ ଭଳି, ହେଲେ ମୁଁ ଜାଣିଛି ଏଥି ପାଇଁ ଏହା ହିଁ ଉପଯୁକ୍ତ ସମୟ। ଯେତେବେଳେ ମୁଁ କ୍ରିକେଟ ଖେଳୁଥିଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ରିଚି ବେନୋଙ୍କୁ ପଚାରିଥିଲି ସନ୍ୟାସ ନେବାର ନିଷ୍ପତ୍ତି କଣ କଷ୍ଟକର, ସେ କହିଥିଲେ ନା ଇୟାନ ଏହି ନିଷ୍ପତ୍ତି ନେବା ବହୁତ ସହଜ। ତୁମକୁ ସଠିକ ସମୟ ଜଣାପଡିଯିବ। 

ଚାପ୍ପେଲ କହିଛନ୍ତି ତାଙ୍କ ଲେଖାରେ ଆମେରିକୀୟ କ୍ରିଡା ଲେଖକ ୱାଲ୍ଟ ଭେଲେସ୍ଲେ ଓ ରେଡ ସ୍ମିଥଙ୍କ ବେଶ୍ ପ୍ରଭାବ ଥିଲା। ସେ କହିଛନ୍ତି ଯେ ମୋ ଲେଖନୀରେ ପୁଲିତଜର ବିଜେତା ଲେଖକ ରେଡ ସ୍ମିଥଙ୍କ ବେଶ୍ ପ୍ରଭାବ ଥିଲା। ସେ ସର୍ବଦା ଉପଯୁକ୍ତ ବର୍ଣ୍ଣନାତ୍ମକ ଶବ୍ଦ ଲାଗି ଉଦ୍ୟମରତ ରହୁଥିଲେ। କ୍ରିକେଟରୁ ସନ୍ୟାସ ନେବା ପରେ ବେନାଉଡ, ବିଲ ଲରୀ ଓ ଟୋନୀ ଗ୍ରିଗଙ୍କ ସହିତ ମିଶି ଚାପ୍ପେଲ ଏକ ପ୍ରସାରଣ ଟିମ୍ ଗଢିଥିଲେ। ଏଣୁ ଟେଲିଭିଜନରେ ଚାପ୍ପେଲଙ୍କୁ ସବୁଠୁ ବେଶି ମନେ ପକାଯାଏ। ତେବେ ଚାପ୍ପେଲ କି-ବୋର୍ଡ ପଛପଟେ ଅଧିକ ସକ୍ରିୟ ରହୁଥିଲେ। 

ପ୍ରତିଭାଶାଳୀ ପତ୍ରିକା ଓ ପରେ ୱେବସାଇଟ ମାଲିକ ଏରିକ ବିଚର ତାଙ୍କୁ ୧୯୭୩ ମସିହାରେ ପ୍ରଥମେ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କର ଲେଖା ସବୁ ‘ସଣ୍ଡେ’ରେ ପ୍ରକାଶିତ ହେଉଥିଲା। ପରେ ଏରିକ୍ ବିଚର ‘ଦି ଏଜ୍’ର ସମ୍ପାଦକ ଗ୍ରାହାମ ପାର୍କିନଙ୍କ ସହିତ ଚାପ୍ପେଲଙ୍କ ଏକ ବୈଠକ ଆୟୋଜନ କରିଥିଲେ। ଏଥିରେ ପାର୍କିନ ମୋତେ ଲେଖିବା ପାଇଁ ଅନୁବନ୍ଧ କରିଥିଲେ ବୋଲି ଚାପ୍ପେଲ ଉଲ୍ଲେଖ କରିଛନ୍ତି। ତେବେ ଗତ ଦୁଇ ଦଶନ୍ଧୀରୁ ଅଧିକ ସମୟ ହେଲା ମୁଁ ମୋର ବସ୍ ‘ମିଡ-ଡେ’ର କ୍ଲେଟୋନ ମୁର୍ଜିଲୋ ଓ କ୍ରିକ୍ ଇନଫୋର ସମ୍ବିତ ବଳଙ୍କ ନିକଟରେ ମୁଁ କୃତଜ୍ଞ। କାରଣ ସେମାନେ ମୋତେ ଲେଖିବାକୁ ପୁରା ସ୍ୱାଧୀନତା ସହ ଭରପୁର ପ୍ରୋତ୍ସାହନ ଦେଇଥିଲେ। 

ପାଖାପାଖି ୪୦ ବର୍ଷ ହେଲା ମୁଁ କମ୍ପ୍ୟୁଟରରେ ଲେଖୁଛି। ଟାଇପରାଇଟର ତୁଳନାରେ କମ୍ପ୍ୟୁଟରରେ ଲେଖିବା ବେଶ୍ ସହଜ, କପି ପେପରକୁ ଫିଙ୍ଗି ପୁଣି ନୂଆ କରି ଲେଖିବା ବଦଳେ କଟ୍ ଓ ପେଷ୍ଟ କରିବା ମୋତେ ବହୁତ ସହଜ ହେଉଥିଲା, ଏହା ଏକ ବଡ଼ ପ୍ରଗତି। ତେବେ କମ୍ପ୍ୟୁଟରରେ ଲେଖୁଥିଲେ ବି ମୁଁ ଏବେ ଲେଖାଲେଖି ବନ୍ଦ କରିବାର ସଠିକ ସମୟରେ ପହଞ୍ଚି ଯାଇଥିବାର ଅନୁଭବ କରୁଛି। ଏଣୁ ମୁଁ ସେହିମାନଙ୍କୁ ଶୁଭକାମନା ଜଣାଉଛି ଯେଉଁମାନେ ମୋତେ ଏହି ସମୟରେ ସହଯୋଗ କରିଛନ୍ତି ଓ ମୋ ସହିତ ବନ୍ଧୁତ୍ୱ କରିଛନ୍ତି। ଚାପ୍ପେଲଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଏବେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। 

ଜଣେ ଫ୍ୟାନ ପୋଷ୍ଟ କରିଛନ୍ତି ଯେ କ୍ରିକେଟର ଦିଗ୍ଗଜଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଡର ଲେଖକ ପାଲଟିଥିଲେ । ଆପଣଙ୍କର ଅଭାବ ଏବେ ଆମକୁ ଅନୁଭୂତ ହେବ, ଚାପ୍ପେଲ ଆପଣ ସ୍ୱସ୍ଥ ରୁହନ୍ତୁ ଏବଂ ସର୍ବଦା ସୁସ୍ଥ ରୁହନ୍ତୁ। ଆଉଜଣେ ଲେଖିଛନ୍ତି ତାଙ୍କ ନିରପେକ୍ଷ ବିଚାରର ଅଭାବ ସର୍ବଦା ରହିବ। ସେହିପରି ଆଉଜଣେ ଲେଖକ ଇୟାନ ଚାପ୍ପେଲଙ୍କୁ ଗୁଡବାୟ ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ବଡ଼ ହେବା ପରେ ସେ ମୋର ସବୁଠୁ ପସନ୍ଦର ଲେଖକ ଓ ଖେଳାଳି ଥିଲେ। ତାଙ୍କ କଲମର ଅଭାବ ଅନୁଭବ ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.