ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଏବେ ନିଜ ଦେଶରେ କଡ଼ା ସମାଲୋଚନାର ଶିକାର ହେଉଛି ପାକିସ୍ତାନ ଟିମ୍ । ପୂର୍ବତନ ଖେଳାଳିଙ୍କଠାରୁ ଆରମ୍ଭ କରି କ୍ରୀଡ଼ାପ୍ରେମୀ ଟିମର ଖରାପ ପ୍ରଦର୍ଶନ ପାଇଁ ଜୋରଦାର ଟାର୍ଗେଟ୍ କରିଛନ୍ତି । ଏହାରି ଭିତରେ ବାବର ଆଜାମଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ତଥା ରାୱଲପିଣ୍ଡ ଏକ୍ସପ୍ରେସ୍ ନାଁରେ ପରିଚିତ ସୋଏବ ଅଖତର । ବାବର ଆଜାମକୁ ସେ ‘ଫ୍ରଡ୍’ ବୋଲି କହିଛନ୍ତି ।
ରବିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚରେ ବାବର ୨୬ ବଲରେ ୨୩ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ କ୍ୟାଚ୍ଆଉଟ୍ ହୋଇଥିଲେ । ବାବର ଆଜମ୍ ଅନ୍ତର୍ଜାତୀୟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଭାରତ ବିପକ୍ଷରେ ପରାଜୟ ପରେ ବାବରଙ୍କୁ ଆକ୍ଷେପ କରିଛନ୍ତି ସୋଏବ । ବିରାଟ କୋହଲିଙ୍କ ସହ ବାବରଙ୍କୁ ତୁଳନା କରାଯିବାକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ବିରାଟଙ୍କ ପାଖରେ ଗୋଟିଏ ଲିଗାସୀ ରହିଥିବା ବେଳେ ବାବର ହେଉଛନ୍ତି ଜଣେ ‘ଫ୍ରଡ୍’ ।
ପାକିସ୍ତାନର ଏକ କର୍ଯ୍ୟକ୍ରମରେ ସୋଏବ ଆଖତର କହିଛନ୍ତି, "ଆମେ ସବୁବେଳେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁ । ଏବେ କୁହନ୍ତୁ ବିରାଟ କୋହଲିଙ୍କ ହିରୋ କିଏ ? ସଚିନ ତେନ୍ଦୁଲକର ଏବଂ ସେ ୧୦୦ ଶତକ ମାରିଛନ୍ତି ଏବଂ ବିରାଟ ତାଙ୍କ ଲିଗାସୀକୁ ପିଛା କରୁଛନ୍ତି । ବାବର ଆଜମଙ୍କ ହିରୋ କିଏ ? ଟୁକ୍ ଟୁକ୍ (କୌଣସି ଖେଳାଳିଙ୍କ ନାଁ ଉଲ୍ଲେଖ କରିନାହାନ୍ତି) ।"
ଅଖତର ଆହୁରି କହିଛନ୍ତି, "ତୁମେ ଭୁଲ ହିରୋମାନଙ୍କୁ ବାଛିଛ । ତୁମର ଚିନ୍ତାଧାରା ହିଁ ଭୁଲ । ତୁମେ ଆରମ୍ଭରୁ ଜଣେ ଠକ ଥିଲ । ମୁଁ ପାକିସ୍ତାନ କ୍ରିକେଟ୍ ଦଳ ବିଷୟରେ କଥା ହେବାକୁ ମଧ୍ୟ ଚାହୁଁନାହିଁ । ମୁଁ କେବଳ ଦରମା ପାଉଥିବାରୁ ଏହା କରୁଛି।" ଅନ୍ୟପଟେ ଅଖତାର ଭାରତର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ଖେଳ ପ୍ରତି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି "ଆମେ ଅତୀତରେ ଦେଖିଛୁ । ଯେତେବେଳେ ଆପଣ ବିରାଟ କୋହଲିଙ୍କୁ କୁହନ୍ତି ଯେ ତାଙ୍କୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଅଛି, ସେ ଆସି ଶତକ କରିବେ । ତାଙ୍କୁ ଅନେକ ଅନେକ ସାଧୁବାଦ । ସେ ଜଣେ ସୁପରଷ୍ଟାର ! ହ୍ୱାଇଟ୍ ବଲରେ ସେ ହେଉଛନ୍ତି ରନ୍ ଚେଜର୍ ! ଆଧୁନିକ ଯୁଗର ମହାନ ! ତାଙ୍କୁ ନେଇ କୌଣସି ସନ୍ଦେହ ନାହିଁ । ମୁଁ ତାଙ୍କ ପାଇଁ ବହୁତ ଖୁସି । ସେ ସମସ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ।"