ରାୱଲପିଣ୍ଡି,୨୪/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ସୋମବାର ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା । ରାଓ୍ବଲପିଣ୍ଡିରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବାଂଲାଦେଶ ପାଇଁ କର ବା ମର ସ୍ଥିତି । ସେପଟେ ଆଜିର ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି କ୍ବିଓ୍ବି ଦଳ । ତେଣୁ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ବୋଲି ଆଶା କରାଯାଉଛି ।
ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଫର୍ମରେ ରହିଛି । ପ୍ରଥମ ମ୍ୟାଚ୍ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ତେଣୁ ବାଂଲାଦେଶକୁ ମାତ୍ ଦେଇ ଦଳ ସେମି ଫାଇନାଲ ଟିକେଟ୍ ପକ୍କା କରିବାକୁ ଚେଷ୍ଟା କରିବ । ଶେଷ ଥର ଦିନିକିଆରେ ଦୁଇ ଦଳ ୨୦୨୩ରେ ମୁହାଁମୁହିଁ ହୋଇଥିଲେ । ବାଂଲାଦେଶ ୯ ୱିକେଟ୍ରେ ବିଜୟୀ ହୋଇଥିଲା । ଏପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ ଟିମ୍ । ଦଳ ପକ୍ଷରୁ ୱିଲ ୟଙ୍ଗ୍ ଏବଂ ଟମ୍ ଲାଥମ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ । ଫଳରେ ଦଳ ଘରୋଇ ଦଳକୁ ୬୦ ରନ୍ରେ ପରାଜିତ କରିବାରେ ସଫଳ ହୋଇଥିଲା । ଦଳର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି । ମ୍ୟାଟ୍ ହେନରି, ୱିଲ ଓ’ରାଉର୍କେ ଓ ମିଚେଲ ସାଣ୍ଟନର ଉନ୍ନତ ବୋଲିଂ କରିଥିଲେ । ସେହି ଅନୁସାରେ ବାଂଲାଦେଶ ସେମିତି ପ୍ରଭାବୀ ପ୍ରଦର୍ଶନ ଭାରତ ବିପକ୍ଷରେ ଦେଇ ପାରିନଥିଲା ।
ଏହି ମ୍ୟାଚ୍ ଉପରେ ପାକିସ୍ତାନର ଶେଷ ଆଶା ନିର୍ଭର କରୁଛି । ଯଦି ବାଂଲାଦେଶ ମ୍ୟାଚ୍ ବିଜୟୀ ହୁଏ, ତେବେ ଭାରତ-ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ-ପାକିସ୍ତାନ ମ୍ୟାଚର ଫଳାଫଳ ଉପରେ ଦ୍ୱିତୀୟ ଦଳର ସେମି ଫାଇନାଲ ନିର୍ଭର କରିବ । ନ୍ୟୁଜିଲାଣ୍ଡ ନେଟ୍ ରନରେଟ୍ରେ ବହୁ ଆଗରେ ରହିଥିବାବେଳେ ପାକିସ୍ତାନ ୨ଟି ମ୍ୟାଚ୍ ହାରିବା ପରେ ସ୍ଥିତି ଅତି ସଙ୍ଗୀନ ରହିଛି।