IND vs PAK: ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ୨୪୧ ରନରେ ଆଣ୍ଠେଇଲା ପାକିସ୍ତାନ

Published By : Prameya-News7 Bureau | February 23, 2025 IST

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ହାଇଭୋଲଟେଜ୍ ମ୍ୟାଚ୍‌ରେ ଭାରତୀୟ ବୋଲର ମାପଚୁପ ବୋଲିଂ କରି ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରିଛି। ଦଳ ପକ୍ଷରୁ ସଉଦ ସକିଲ ସର୍ବାଧିକ ୬୨ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ମହମ୍ମଦ ରିଜଓ୍ଵାନ ୪୬ ରନ କରିଥିଲେ। ଭାରତ ସାମ୍ନାରେ ବିଜୟ ପାଇଁ ରହିଛି ୨୪୨ ରନର ବିଜୟ ଲକ୍ଷ୍ୟ।ଭାରତ ପକ୍ଷରୁ ବୋଲିଂରେ କୁଦଲୀପ ଯାଦବ ୩ଟି ସଫଳତା ପାଇଛନ୍ତି।  ଏହି ମ୍ୟାଚ୍ ଭାରତ ଜିତିଲେ ସେମିରେ ପ୍ରବେଶ କରିବାର ଦ୍ଵାର ଦେଶରେ ପହଞ୍ଚିଯିବ। ଅନ୍ୟପଟେ ପରାଜିତ ହେଲେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ୍ ଓ ବାବର ଆଜମ ପ୍ରଥମ ଓ୍ଵିକେଟ୍‌ରେ ୪୧ ରନ ଯୋଡ଼ିଥିଲେ। କ୍ରିଜରେ ଜମି ଆସିଥିବା ବାବର ଆଜମ(୨୩ ରନ)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଇମାମ ଉଲ ହକ(୧୦) ଏକ ରନ ନେବା ଚକ୍କରରେ ଅକ୍ଷର ପଟେଲ୍‌ଙ୍କ ଚମତ୍କାର ଥ୍ରୋରେ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ମହମ୍ମଦ ରିଜଓ୍ଵାନ ଓ ସଉଦ ସକିଲ ଇନିଂସ ସମ୍ଭାଳିଥିଲେ।

ଦୁଇ ବ୍ୟାଟର ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ବହୁତ ମନ୍ଥର ବ୍ୟାଟିଂ କରିଥିଲେ। ଇନିଂସର ୨୫ ଓଭର ପରେ ଦୁଇ ବ୍ୟାଟର ରନ ଗତି ବଢାଇଥିଲେ। ଏହି କ୍ରମରେ ସଉଦ ସକିଲ ଦିନିକିଆରେ ନିଜର ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୧୦୪ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୫୧ ରନ ସ୍କୋରରେ ମହମ୍ମଦ ରିଜଓ୍ଵାନଙ୍କୁ କ୍ଲିନ ବୋଲ୍ଡ କରି ଅକ୍ଷର ପଟେଲ୍ ଭାରତକୁ ବଡ଼ ସଫଳତା ଦେଇଥିଲେ। ରିଜଓ୍ଵାନ ୭୭ ବଲ୍‌ରୁ ୪୬ ରନର ଧିମା ଇନିଂସ ଖେଳିଥିଲେ। 

ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସଉଦ ସକିଲ ୬୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ। ତୟବ ତାହିର(୪) କ୍ରିଜରେ ତିଷ୍ଠି ପାରି ନ ଥିଲେ।୪୩ ଓଭରରେ କୁଲଦୀପ ଯାଦବ ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ଲଗାତାର ଦୁଇଟି ବଲରେ ସଲମାନ ଆଗା(୧୯ ରନ) ଓ ଶାହୀନ ଆଫ୍ରିଦି(୦)ଙ୍କ ଶିକାର କରିଥିଲେ। ନିମ୍ନ କ୍ରମରେ ନସୀମ ଶାହ ୧୪ ରନ କରି କୁଲଦୀପଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷ ଆଡ଼କୁ ଖୁଶଦିଲ ଶାହ ୩୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ପାକିସ୍ତାନ ୨୪୧ ରନ କରିଥିଲା। 

ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ଦମଦାର ବୋଲିଂ କରି ୪୦ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ ବିନିମୟରେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ହର୍ଷିତ ରାଣା, ଅକ୍ଷର ପଟେଲ୍ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.