ଦିଲ୍ଲୀର ପ୍ରଥମ ମହିଳା ବିରୋଧୀ ଦଳ ନେତା ଆତିଶୀ, ବିଧାୟକ ଦଳ ବୈଠକରେ ମିଳିଲା ସହମତି

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ: କାଲକାଜୀରୁ ଆମ୍ ଆଦମୀ ପାର୍ଟି ବିଧାୟକ ଆତିଶୀ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି । ପାର୍ଟିର ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆମ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପାର୍ଟିର ୨୨ ଜଣ ବିଧାୟକଙ୍କ ଉପସ୍ଥିତିରେ ଆତିଶୀଙ୍କ ନାଁରେ ସହମତି ହୋଇଛି । ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବ । ତିନିଦିନିଆ ଅଧିବେଶନରେ ଶାସକ ବିଜେପି ପୂର୍ବର ଆପ୍ ସରକାର ଦ୍ୱାରା ଉପସ୍ଥାପନ କରାଯାଉନଥିବା ସିଏଜି ରିପୋର୍ଟରେ ଗୃହରେ ଉପସ୍ଥାପନ କରିବ ।

କାଲକାଜୀ ବିଧାୟକ ଆତିଶୀ ବିରୋଧୀ ଦଳ ନେତା ହେବା ପରେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଉଛି । ଜନତା ଆମକୁ ବିରୋଧୀ ଭୂମିକାରେ ବସାଇଛନ୍ତି ଏବଂ ଆମ୍ ଆଦମୀ ପାର୍ଟି ଏକ ମଜଭୁତ ବିରୋଧୀ ରୂପେ କାମ କରିବ । ବିରୋଧୀ ଦଳ ନେତା ଚୟନ ଉପରେ ଗୋପାଳ ରାୟ କହିଛନ୍ତି ଯେ ଆଜି ବିଧାୟକ ଦଳର ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି ଯେ ଆତିଶୀ ବିଧାନସଭାରେ ବିରୋଧୀ ଦଳ ନେତା ହେବେ । ଆହ୍ୱାନପୂର୍ଣ୍ଣ ସମୟରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଜନତାଙ୍କ ସେବା କରିଛନ୍ତି । ଆପ୍ ଏକ ସ୍ଥିର ବିରୋଧୀ ଭୂମିକା ନିର୍ବାହ କରିବ ।

ଦିଲ୍ଲୀର ମହିଳାଙ୍କୁ ୨୫୦୦ ଟଙ୍କା ପ୍ରଦାନ ଉପରେ ଆତିଶୀ କହିଛନ୍ତି, 'ବିଜେପିର ନୂଆ କ୍ୟାବିନେଟ୍ ବୈଠକ ହୋଇସାରିଛି, କିନ୍ତୁ ମହିଳାଙ୍କୁ ଟଙ୍କା ଦେବାର କୌଣସି ଯୋଜନାକୁ ମଞ୍ଜୁରି ଦିଆଯାଇନାହିଁ । ଆମେ ପ୍ରତିଶ୍ରୁତି ଦେଉଛି, ରେଖା ଗୁପ୍ତାଙ୍କ ସରକାରଠାରୁ ମହିଳା ସମୃଦ୍ଧି ଯୋଜନା ଅଧିନରେ ମହିଳାଙ୍କୁ ଅଢେଇ ହଜାର ଟଙ୍କା ପ୍ରଦାନ ସୁନିଶ୍ଚିତ କରିବୁ ।' ଉଲ୍ଲେଖଯୋଗ୍ୟ ଯେ ଆତିଶୀଙ୍କ ସମେତ ଅନ୍ୟ ସବୁ ବିରୋଧୀ ନେତା ଏହି ଯୋଜନା ଉପରେ ଲଗାତାର ଦିଲ୍ଲୀ ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି । 

ଦିଲ୍ଲୀ ବିଧାନସଭା ଅଧିବେଶନ ଫେବ୍ରୁଆରୀ ୨୪ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେବ । ଚଳିତଥର ସିଏମ୍ ରେଖା ଗୁପ୍ତାଙ୍କ ବିରୋଧରେ ଜଣେ ମହିଳା ଥିବେ । ଦିଲ୍ଲୀ ବିଧାନସଭା ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଭୟ ଭୂମିକାରେ ମହିଳା ଥିବେ । ଗୃହରେ ରେଖା ଗୁପ୍ତା ବନାମ ଆତିଶୀ ମାର୍ଲେନାଙ୍କୁ ଦେଖିବାକୁ ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.