ନୂଆଦିଲ୍ଲୀ: ଭାରତର ଅନ୍ୟତମ ସର୍ବବୃହତ ବ୍ୟବସାୟିକ ପ୍ରତିଷ୍ଠାନ ଆଦାନୀ ଗ୍ରୁପ୍ ଟିକସ ପୈଠ ମାମଲାରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି । ଆଦାନୀ ଗ୍ରୁପ୍ ଦ୍ୱାରା ସାର୍ବଜନୀନ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩-୨୪ରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ଟିକସ ସରକାରଙ୍କୁ ଦେଇଛି । ଏହାର ଅର୍ଥ ଆଦାନୀ ସମୂହ ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ପୈଠ କରିଛି । ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପର କମ୍ପାନିଗୁଡ଼ିକ ୨୦୨୨-୨୩ ଆର୍ଥିକ ବର୍ଷରେ ୪୬,୬୧୦ କୋଟି ଟଙ୍କାର ଟିକସ ପୈଠ କରିଥିଲେ । ଅର୍ଥାତ୍ ଆଲୋଚ୍ୟ ଆର୍ଥିକ ବର୍ଷରେ, ଆଦାନୀ ଗ୍ରୁପ୍ ପ୍ରତି ଘଣ୍ଟାରେ ୫.୩୨ କୋଟି ଟଙ୍କା ଟିକସ ପରିଶୋଧ କରିଥିଲା । ଆଦାନୀ ଗ୍ରୁପ୍ ୨୦୨୩-୨୪ ଆର୍ଥିକ ବର୍ଷ (୨୦୨୩ ଏପ୍ରିଲରୁ-୨୦୨୪ ମାର୍ଚ୍ଚ) ପାଇଁ ଏହାର ଟିକସ ସ୍ୱଚ୍ଛତା ରିପୋର୍ଟ ପ୍ରକାଶ କରିଛି ।
ଆଦାନୀ ଗ୍ରୁପ୍ କହିଛି ଯେ ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଅଧିକ ଟିକସ ଦେଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୪୬,୬୧୦ କୋଟି ଟଙ୍କାର ଟିକସ ପୈଠ କରାଯାଇଥିଲା । ୨୦୨୩-୨୪ରେ ଏହି ରାଶି ୫୮,୧୦୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ପ୍ରାୟ ୨୫% ଅଧିକ । ଏଥିରେ ଅନ୍ତର୍ଜାତୀୟ ଟିକସ, ଶୁଳ୍କ, ଆଦାନୀ ପୋର୍ଟଫୋଲିଓ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଇଥିବା ଟିକସ, ଅନ୍ୟ ଅଂଶୀଦାରମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପରୋକ୍ଷ ଟିକସ ଏବଂ କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଅବଦାନ ଅନ୍ତର୍ଭୁକ୍ତ । ଆଦାନୀ ଗ୍ରୁପ ବିବୃତ୍ତିରେ କହିଛି ଯେ ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ କାମ କରେ, ତେଣୁ ନିଜର ଟିକସ ସ୍ୱଚ୍ଛତା ରିପୋର୍ଟ ପ୍ରକାଶ କରିଛି ।
ଗ୍ରୁପର ସାତଟି ତାଲିକାଭୁକ୍ତ କମ୍ପାନୀ - ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍ ଏବଂ ଅମ୍ବୁଜା ସିମେଣ୍ଟ୍ସ ଦ୍ୱାରା ପ୍ରକାଶିତ ସ୍ୱତନ୍ତ୍ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏଥିରେ ଅନ୍ୟ ତିନୋଟି ତାଲିକାଭୁକ୍ତ କମ୍ପାନୀ - NDTV, ACC ଏବଂ ସଙ୍ଘୀ ଇଣ୍ଡଷ୍ଟ୍ରିଜ୍ - ଦ୍ୱାରା ଦିଆଯାଇଥିବା ଟିକସ ମଧ୍ୟ ଅନ୍ତର୍ଭୁକ୍ତ ।
ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, 'ଆମେ ନିଜକୁ ଭାରତୀୟ ରାଜକୋଷରେ ସବୁଠାରୁ ବଡ଼ ଯୋଗଦାନକାରୀଙ୍କ ମଧ୍ୟରୁ ଜଣେ ବୋଲି ଭାବୁଛୁ ଏବଂ ଆମର ଦାୟିତ୍ୱ ଅନୁପାଳନଠାରୁ ଅଧିକ । ଏହା ସଚ୍ଚୋଟତା ଏବଂ ଉତ୍ତରଦାୟୀ ସହ କାମ କରିବା ଉପରେ ଅଟେ । ଆମ ଦେଶର ଆର୍ଥିକ କ୍ଷେତ୍ରରେ ଆମର ପ୍ରତ୍ୟେକ ଟଙ୍କା ପାରଦର୍ଶିତା ଏବଂ ସୁଶାସନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି ।' ସେ ଆହୁରି କହିଛନ୍ତି, 'ସ୍ୱେଚ୍ଛାକୃତ ଭାବରେ ଏହି ରିପୋର୍ଟଗୁଡ଼ିକୁ ଜନସାଧାରଣଙ୍କ ସହିତ ସେୟାର କରି, ଆମେ ଅଂଶୀଦାରଙ୍କ ବିଶ୍ୱାସକୁ ବୃଦ୍ଧି କରିବା ଏବଂ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ୍ ଆଚରଣ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିବା ।'