ଧିରେନ୍ଦ୍ର ଶାସ୍ତ୍ରୀ କହିଲେ- ହସ୍ପିଟାଲରେ PMଙ୍କ ମାଙ୍କ ନାମରେ ରହିବ ୱାର୍ଡ

Published By : Prameya-News7 Bureau | February 23, 2025 IST

ଛତରପୁର ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛତରପୁରରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି। ଏହି ହସ୍ପିଟାଲର ନିର୍ମାଣ ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ କରାଉଛନ୍ତି। ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମରେ ‘ବାଲାଜୀ କ୍ୟାନସର ଇନିଷ୍ଟିଚ୍ୟୁଟ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ର ଡିଜିଟାଲ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବାଲାଜୀଙ୍କ ପ୍ରତିମା ଉପହାର ଦେଇଛନ୍ତି। 


ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ। କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଖାସ ଉପହାର ଦେଇଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବାଗେଶ୍ୱର ଧାମ ସରକାର କହିଛନ୍ତି ଯେ ଏହି ହସ୍ପିଟାଲର ନିର୍ମାଣ କାମ ଆମେ ୨ରୁ ୩ ବର୍ଷ ମଧ୍ୟରେ ଶେଷ କରିବୁ। ସେ କହିଛନ୍ତି ଯେ ଏହି ହସ୍ପିଟାଲକୁ ଆମେ ମେଡିକାଲ କଲେଜ କରିବାକୁ ମଧ୍ୟ ବିଚାର ରଖିଛୁ। 



ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ଏହି ହସ୍ପିଟାଲରେ ରୋଗୀଙ୍କୁ ଔଷଧ ସହିତ ଦୈବୀ କୃପା ମଧ୍ୟ ମିଳିବ। ଏହି ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ଏହି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାତାଙ୍କ ନାମରେ ଏକ ୱାର୍ଡ ମଧ୍ୟ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ କହିଥିଲେ। ଏହି ଯୋଜନାରେ ଗରିବ ଲୋକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ମିଳୁଛି। ଏହି ଯୋଜନା ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟଷ୍କଙ୍କ ନିମନ୍ତେ ମଧ୍ୟ ସୁବିଧା ଥିବାର କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.