ଏଥର ରାଜସ୍ଥାନ ଝାଲୱାଡରେ ଘଟିଛି ଅଘଟଣା, ୧୫୦ ଫୁଟ ବୋରୱେଲର ୩୦ ଫୁଟରେ ଅଟକିଛି ୫ ବର୍ଷରୁ ଶିଶୁ

Published By : Prameya-News7 Bureau | February 23, 2025 IST

ଝାଲୱାଡ ୨୩।୨: ରାଜସ୍ଥାନ ଝାଲୱାଡର ଡଗ ଥାନା ପାରଲ ଗାଁରେ ଏକ ଶିଶୁ ରବିବାର ଖୋଲା ବୋରୱେଲ ଗାତରେ ଗଳିପଡିଛି। ଶିଶୁଟିର ବୟସ ୫ ବର୍ଷ ଓ ତା ନାମ ପ୍ରହଲ୍ଲାଦ ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ମିଳିବାମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର ଉଦ୍ୟମ ଆରମ୍ଭ କରିଛନ୍ତି। ମଧ୍ୟାହ୍ନ ପ୍ରାୟ ଗୋଟାଏ ୪୦ ମିନିଟରେ ଶିଶୁଟି ଖେଳୁଥିବା ବେଳେ ଖୋଲାମୁହଁ ବୋରୱେଲ ଗାତରେ ଗଳିପଡିଛି। 

କୁହାଯାଉଛି ୪-୫ ଦିନ ପୂର୍ବରୁ ସେଠାରେ ବୋରୱେଲ ଖୋଳାଯାଇଥିଲା।  ଏହି ଖୋଲା ମୁହାଁ ବୋରୱେଲ ମୁହଁରେ ଏକ ପଥର ରଖାଯାଇଥିଲା। ପିଲାଟି ଖେଳିବା ବେଳେ ବୋରୱେଲ ଗର୍ତ୍ତମୁହଁରେ ଥିବା ପଥରକୁ ହଟାଇ ଦେଇଥିବା ବେଳେ ନିଜେ ସେଥିରେ ଗଳି ପଡିଛି। ସୂଚନା ଅନୁସାରେ କାଲୁ ଲାଲ ବାଗରୀ ପରିବାର ସହିତ ଖେତରେ ଗହମ ଅମଳ କରୁଥିଲା। ଏହି ସମୟରେ ୫ ବର୍ଷର ପୁଅ ପ୍ରହଲ୍ଲାଦ ବିଲ ହିଡରେ ଖେଳୁଥିଲା।  

ସୂଚନା ମିଳିବାମାତ୍ରେ ପୋଲିସ ଉପାଧିକ୍ଷକ ଜୟପ୍ରକାଶ ଅଟଲ, ଥାନା ପ୍ରଭାରୀ ପବନ କୁମାର ମୀଣା ଓ ବିକାଶ ଅଧିକାରୀ  କଞ୍ଚନ ବୋହରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଶିଶୁକୁ ଉଦ୍ଧାର କରିବା ପାଇଁ ବୋରୱେଲର ୭୦ରୁ ୮୦ ଫୁଟ ଦୂରରେ ୫ଟି ଜେସିବି ମେସିନ ଲଗାଇ ଖନନ କରାଯାଉଛି,ଏହା ସହିତ ବୋରୱେଲକୁ ରସି ଛଡାଯାଇ ଶିଶୁକୁ ଉଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି। ଶିଶୁ ଯେପରି ଅଚେତ ନହୁଏ ସେଥି ପାଇଁ ତା ନିକଟକୁ ପାଇପ ଜରିଆରେ ଅକ୍ସିଜେନ ପହଞ୍ଚା ଯାଉଛି। 

ଶିଶୁ ବୋରୱେଲରେ ଖସିପଡିଥିବା ସୂଚନା ପାଇ ଝାଲବାଡରୁ ଏନଡିଆରଏଫ ଟିମ୍‌ କୁ ଡକାଯାଇଛି। ଟିମ୍ ଏବେ ପାରଲ ଗାଁ ଅଭିମୁଖେ ବାହାରିଛି। ଜିଲ୍ଲା କଲେକ୍ଟର ଅଜୟ ସିଂହ ରାଠୋର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶିଶୁକୁ ବୋରୱେଲରୁ ଉଦ୍ଧାର ନିମନ୍ତେ ମଧ୍ୟପ୍ରଦେଶର ଏକ୍ସପର୍ଟଙ୍କ ସହ ଯୋଗାଯୋଗ ସ୍ଥାପନା କରାଯାଇଛି। ଏବେ ବୋରୱେଲରୁ ଶିଶୁର କାନ୍ଦଣା ଶୁଣାଯାଉଥିବା ଲୋକେ କହୁଛନ୍ତି। ମଧ୍ୟପ୍ରଦେଶରୁ ଏକ୍ସପର୍ଟ ଟିମ୍‌ ଆଜି ରାତି କିମ୍ବା କାଳି ସକାଳ ସୁଦ୍ଧା ପହଞ୍ଚିବେ ବୋଲି ଆକଳନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.