ଦୁବାଇ: ବୋଲିଂ ପରେ ବ୍ୟାଟିଂରେ ଭାରତର କମାଲ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଲା ରୋହିତ ବାହିନୀ। କୋହଲିଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇ ଦ୍ଵିତୀୟ ବିଜୟ ହାସଲ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ପାଇଁ ନିଜର ସ୍ଥିତି ଆହୁରି ମଜବୁତ କରିଛି ଭାରତୀୟ ଦଳ । ସଉଦ ସକିଲଙ୍କ ୬୨ ରନ, ମହମ୍ମଦ ରିଜଓ୍ଵାନଙ୍କ ୪୬ ରନ ଓ ଖୁଶଦିଲ ଶାହଙ୍କ ୩୮ ରନ ବଳରେ ପାକିସ୍ତାନ ୨୪୧ ରନ କରିଥିଲା। ଜବାବରେ ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। ବିରାଟ କୋହଲି ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୫୬ ରନ ଓ ଗିଲ୍ ୪୬ ରନ ଖେଳିଥିଲେ। ଅନ୍ୟପଟେ ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବିଦା ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି।
୨୪୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୧ ରନ ଯୋଡ଼ିଥିଲେ। ରୋହିତ ଶର୍ମା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୨୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ରେ ୬୯ ରନ ଯୋଡ଼ିଥିଲେ। ଦମଦାର ଫର୍ମରେ ଥିବା ଶୁଭମନ ଗିଲ୍ ୫୨ ବଲ୍ରୁ ୭ ଚୌକା ସହ ୪୬ ରନର ଉପଯୋଗୀ ଇନିଂସ ଖେଳିଥିଲେ।
ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଏହି କ୍ରମରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରେୟସ ଆୟର ଦିନିକିଆ କ୍ରିକେଟ୍ରେ ୨୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ୧୧୪ ରନ ଯୋଡ଼ି ଦଳର ସ୍କୋରକୁ ୨୧୪ରେ ପହଞ୍ଚାଇଥିଲେ। ଶ୍ରେୟସ ୬୭ ବଲ୍ରୁ ୫ ଚୌକା ଓ ୧ ଛକା ସହ ୫୬ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ କରି ଆଉଟ୍ ହୋଇଥିଲେ।
ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିଥିଲେ ହେଁ ଶେଷ ଆଡ଼କୁ ବିରାଟ କୋହଲି ଶତକ ମୁଖ୍ୟ ଆର୍କଷଣ ପାଲଟିଥିଲା।କୋହଲିଙ୍କ ଶତକକୁ ନେଇ ପଡ଼ିଆରେ ଛକାପଞ୍ଝା ଜାରି ରହିଥିଲା। ଚୌକା ମାରି ଅର୍ଦ୍ଧଶତକ ହାସଲ କରିଥିବା କୋହଲି ଶେଷରେ ଚୌକା ମାରି ଦିନିକିଆ କ୍ରିକେଟ୍ରେ ୫୧ତମ ଶତକ ହାସଲ କରିଛନ୍ତି। ଆଉ ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି।
ପାକିସ୍ତାନ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ୍ ଓ ବାବର ଆଜମ ପ୍ରଥମ ଓ୍ଵିକେଟ୍ରେ ୪୧ ରନ ଯୋଡ଼ିଥିଲେ। କ୍ରିଜରେ ଜମି ଆସିଥିବା ବାବର ଆଜମ(୨୩ ରନ)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଇମାମ ଉଲ ହକ(୧୦) ଏକ ରନ ନେବା ଚକ୍କରରେ ଅକ୍ଷର ପଟେଲ୍ଙ୍କ ଚମତ୍କାର ଥ୍ରୋରେ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ମହମ୍ମଦ ରିଜଓ୍ଵାନ ଓ ସଉଦ ସକିଲ ଇନିଂସ ସମ୍ଭାଳିଥିଲେ।
ଦୁଇ ବ୍ୟାଟର ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ବହୁତ ମନ୍ଥର ବ୍ୟାଟିଂ କରିଥିଲେ। ଇନିଂସର ୨୫ ଓଭର ପରେ ଦୁଇ ବ୍ୟାଟର ରନ ଗତି ବଢାଇଥିଲେ। ଏହି କ୍ରମରେ ସଉଦ ସକିଲ ଦିନିକିଆରେ ନିଜର ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୧୦୪ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୫୧ ରନ ସ୍କୋରରେ ମହମ୍ମଦ ରିଜଓ୍ଵାନଙ୍କୁ କ୍ଲିନ ବୋଲ୍ଡ କରି ଅକ୍ଷର ପଟେଲ୍ ଭାରତକୁ ବଡ଼ ସଫଳତା ଦେଇଥିଲେ। ରିଜଓ୍ଵାନ ୭୭ ବଲ୍ରୁ ୪୬ ରନର ଧିମା ଇନିଂସ ଖେଳିଥିଲେ।
ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସଉଦ ସକିଲ ୬୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ। ତୟବ ତାହିର(୪) କ୍ରିଜରେ ତିଷ୍ଠି ପାରି ନ ଥିଲେ।୪୩ ଓଭରରେ କୁଲଦୀପ ଯାଦବ ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ଲଗାତାର ଦୁଇଟି ବଲରେ ସଲମାନ ଆଗା(୧୯ ରନ) ଓ ଶାହୀନ ଆଫ୍ରିଦି(୦)ଙ୍କ ଶିକାର କରିଥିଲେ। ନିମ୍ନ କ୍ରମରେ ନସୀମ ଶାହ ୧୪ ରନ କରି କୁଲଦୀପଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷ ଆଡ଼କୁ ଖୁଶଦିଲ ଶାହ ୩୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ପାକିସ୍ତାନ ୨୪୧ ରନ କରିଥିଲା।
ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ଦମଦାର ବୋଲିଂ କରି ୪୦ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ ବିନିମୟରେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ହର୍ଷିତ ରାଣା, ଅକ୍ଷର ପଟେଲ୍ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।