୧୫ ମାସ ପରେ ବିରାଟଙ୍କ ବ୍ୟାଟରୁ ଆସିଲା ଶତକ, ସ୍ଥାପନ କଲେ ନୂଆ କିର୍ତ୍ତୀମାନ

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ୍‌ରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ୧୧୧ ବଲ୍‌ରୁ ୭ ଚୌକା ସହ ଶତକ ହାସଲ କରିଛନ୍ତି। ପୂର୍ବତନ ଅଧିନାୟକଙ୍କ ଦିନିକିଆ କ୍ୟାରିୟରରେ ଏହା ହେଉଛି ୫୧ତମ ଶତକ। ଆଧୁନିକ ଯୁଗର ଏହି ମହାନ ବ୍ୟାଟର ପ୍ରାୟ ୧୫ ମାସ ପରେ ଦିନିକିଆ ଫର୍ମାଟ୍‌ରେ ଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ କୋହଲି ୨୦୨୩ ଦିନିକିଆ ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୭ ରନର ଇନିଂସ ଖେଳିଥିଲେ।

ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିଥିଲେ ହେଁ ଶେଷ ଆଡ଼କୁ ବିରାଟ କୋହଲି ଶତକ ମୁଖ୍ୟ ଆର୍କଷଣ ପାଲଟିଥିଲା।କୋହଲିଙ୍କ ଶତକକୁ ନେଇ ପଡ଼ିଆରେ ଛକାପଞ୍ଝା  ଜାରି ରହିଥିଲା।  ଚୌକା ମାରି ଅର୍ଦ୍ଧଶତକ ହାସଲ କରିଥିବା କୋହଲି ଶେଷରେ ଚୌକା ମାରି ଦିନିକିଆ କ୍ରିକେଟ୍‌ରେ ୫୧ତମ ଶତକ ହାସଲ କରିଛନ୍ତି। ଆଉ ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍‌କୁ ଜିତି ନେଇଛି। 

ରୋହିତ ଶର୍ମା ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା କୋହଲିଙ୍କ ଅପରାଜିତ ଶତକ ବଳରେ ଭାରତ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇଛି। ଏହି ଶତକୀୟ ଇନିଂସରେ କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। 

କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୪ ହଜାର ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର  ୩୫୯ ମ୍ୟାଚ୍‌ର ୩୫୦ ଇନିଂସରେ ୧୪ ହଜାର ପୂରଣ କରିଥିଲେ। ବିରାଟ କୋହଲି ୨୯୯ ମ୍ୟାଚ୍‌ର ୨୮୭ ଇନିଂସରେ ଏହି ଉପଲବ୍ଧି ହାସଲ କରି ଦ୍ରୁତତମ ୧୪ ହଜାର ରନ କରିବାର ରେକର୍ଡ କରିଛନ୍ତି। କୋହଲି ଏକ ମାତ୍ର ବ୍ୟାଟର ଯିଏ ୩୦୦ରୁ  କମ ମ୍ୟାଚ୍‌ରେ ଦିନିକିଆରେ ୧୪ ହଜାର ରନ ପୂରଣ କରିଛନ୍ତି। 

ଦିନିକିଆରେ ବିରାଟ କୋହଲି ଦୁନିଆର ତୃତୀୟ ବ୍ୟାଟର ଯିଏ ୧୪ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାକାରା ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟର କୁମାର ସାଙ୍ଗାକାରା ୪୦୨ ମ୍ୟାଚ୍‌ର ୩୭୮ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ।

ସବୁଠୁ ଅଧିକ କ୍ୟାଚ୍‌ ନେଇଥିବା ଖେଳାଳି

ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଫିଲ୍ଡର ଭାବେ ସର୍ବାଧିକ କ୍ୟାଚ୍ ନେବାର ଭାରତୀୟ ଖେଳାଳି ହୋଇଛନ୍ତି। ସେ ଦିନିକିଆ କ୍ରିକେଟ୍ ଇତିହାସରେ ଅଧିକ କ୍ୟାଚ୍‌ ନେବା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ୨୯୯ ଦିନିକିଆରୁ ୧୫୮ କ୍ୟାଚ୍ ଧରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.