ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ହୋଇପାରେ ଆତଙ୍କୀ ହମ୍ଲା । ଆତଙ୍କବାଦୀମାନେ ଟ୍ରଫିକୁ ଭଣ୍ଡୁର କରିବାକୁ ପ୍ଲାନ କରୁଛନ୍ତି। ଏକଥା ଆମେ କହୁନୁ। ଏନେଇ ପାକ୍ ଗୁଇନ୍ଦା ବିଭାଗକୁ ମିଳିଛି ପକ୍କା ଖବର। ଗୁଇନ୍ଦା ବିଭାଗର ଆଲର୍ଟ ପରେ ଆକ୍ଟିଭ ମୋଡରେ ପାକିସ୍ତାନ ସୁରକ୍ଷା ବଳ।
ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ଆତଙ୍କୀ ଭୟ ।ଆତଙ୍କବାଦୀମାନେ ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିପାରନ୍ତି। ସେମାନଙ୍କୁ ଅପହରଣ କରି ମୁଣ୍ଡ ଜାମିନ ମାଗି ପାରନ୍ତି। ଖୋଦ ପାକିସ୍ତାନର ଗୁଇନ୍ଦା ବିଭାଗ ଏପରି ସୂଚନା ଦେଇଛି। ଏକାଧିକ ଆତଙ୍କବାଦୀ ସଂଗଠନ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିବାର ଯୋଜନା କରୁଥିବାରୁ ପାକିସ୍ତାନ ଗୁଇନ୍ଦା ବିଭାଗ ହାଇ ଆଲର୍ଟ ଜାରି କରିଛି। ପାକିସ୍ତାନର ସୁରକ୍ଷାକର୍ମୀଙ୍କୁ ପୂରା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗୁଇନ୍ଦା ବିଭାଗର ତଥ୍ୟ କହୁଛି ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି), ଆଇଏସଆଇଏସ ଓ ବାଲୋଚିସ୍ତାନ ଭିତ୍ତିକ ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବିଦେଶୀ ଅତିଥିଙ୍କୁ ଟାର୍ଗେଟ କରିବେ । ସେମାନେ କିଛି ବିଦେଶୀ ଖେଳାଳିଙ୍କୁ ମଧ୍ୟ ଟାର୍ଗେଟ କରିପାରନ୍ତି। ଅପହରଣ ପରେ ଆତଙ୍କ ଖେଳାଇ ପୂରା ବିଶ୍ୱ ଉପରେ ଚାପ ପକାଇବା ଓ ଟଙ୍କା ଆଦାୟ କରିବା ପାଇଁ ସେମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
ଗୁଇନ୍ଦା ବିଭାଗର ଆଲର୍ଟ ପରେ ଆକ୍ଟିଭ ମୋଡରେ ପାକିସ୍ତାନ ସୁରକ୍ଷା ବଳ। ଆତଙ୍କବାଦୀଙ୍କ ସବୁ ଯୋଜନା ପଣ୍ଡ କରିବାକୁ ଉଚ୍ଚସ୍ତରୀୟ ପ୍ରୋଟେକସନ ଟିମକୁ ନିୟୋଜିତ କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସିଥିବା କ୍ରିକେଟ ପ୍ରେମୀ ରହୁଥିବା ସ୍ଥାନ ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଅଧିକ କଡା ହୋଇଛି ।
ଏଘଟଣା ପ୍ରଥମ ନୁହେଁ । ପାକିସ୍ତାନରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ହମଲା ହୋଇସାରିଛି । ୨୦୨୪ରେ ସଙ୍ଘଲାରେ ଚାଇନିଜ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ହମଲା ହୋଇଥିଲା । ସେହିପରି ୨୦୦୯ରେ ପାକସ୍ତାନ ଖେଳିବାକୁ ଯାଉଥିବା ଶ୍ରୀଲଙ୍କାର ଜାତୀୟ ଟିମ ଉପରେ ଲାହୋରରେ ଏକାଧିକ ଆତଙ୍କବାଦୀ ବିଚ୍ ରାସ୍ତାରେ ଆକ୍ରମଣ କରିଥିଲେ।
ସେହି କାରଣରୁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ସ୍ଥିତିରେ ସୁଧାର ଆସିବା ପରେ ୧୯୯୬ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରୁଛି। ଚାମ୍ପିୟନ୍ସ ଟ୍ରଫିକୁ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଠାରୁ ଆରମ୍ଭ କରି ସରକାର ପୂରା ଦମରେ ଲାଗି ପଡ଼ିଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଯେମିତି କୌଣସି ପ୍ରକାରର ବିଶୃଙ୍ଖଳା ନ ହେବ, ସେଥିପାଇଁ ସବୁ ପ୍ରକାରର ଧ୍ୟାନ ଦିଆଯାଉଛି। କିନ୍ତୁ ଏବେ ଆତଙ୍କୀ ଷଡ଼ଯନ୍ତ୍ର ନେଇ ସତର୍କ ସୂଚନା ଜାରି ହେବା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି।