ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପିଛା ଛାଡ଼ୁନି ଅଡ଼ୁଆ। କିସ୍ କଣ୍ଟ୍ରୋଭର୍ସି ପରେ ଏବେ ପୁଣି ନୂଆ ସମସ୍ୟାରେ ଫସିଛନ୍ତି ଗାୟକ। କାରଣ ଉଦିତଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା ତାଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ। ରଞ୍ଜନା ଅଭିଯୋଗ କରିଛନ୍ତି ଉଦିତ ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ସମ୍ପତ୍ତି ହଡ଼ପ କରିଛନ୍ତି । ରଞ୍ଜନା ଏନେଇ ଏତଲା ମଧ୍ୟ ଦେଇଛନ୍ତି। ଜାଣନ୍ତୁ କ’ଣ ଏହି ଘଟଣା ?
ପ୍ରକୃତରେ ଉଦିତ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ମାମଲା, ପୂର୍ବରୁ ବିହାର ମହିଳା ଆୟୋଗରେ ସମାଧାନ ହୋଇଥିଲା । ଯେଉଁଥିରେ ଉଦିତଙ୍କୁ, ପ୍ରଥମ ପତ୍ନୀଙ୍କୁ ଭରଣ ପୋଷଣ ପାଇଁ ପ୍ରତି ମାସରେ ୨୫ ହଜାର ଟଙ୍କା, ୧ କୋଟି ଟଙ୍କା ମୂଲ୍ୟର ଜମି, ଘର ଏବଂ ରଂଜନାଙ୍କୁ ୨୫ ଲକ୍ଷର ଗହଣା ଦେବାକୁ କୁହାଯାଇଥିଲା। ହେଲେ ଉଦିତ ଜମି ବିକ୍ରୟରୁ ୧୮ ଲକ୍ଷ ଟଙ୍କା ରଖିଥିଲେ। ଯାହା ତାଙ୍କର ଅଧିକାର ଥିଲା।
ହେଲେ ରଂଜନା ଅଭିଯୋଗ କରିଛନ୍ତି ଏହି ଭରଣପୋଷଣ ଟଙ୍କା ଉଦିତ ତାଙ୍କୁ ଦେଉନାହାଁନ୍ତି ଏମିତିକି ବେଆଇନ ଭାବେ ସମ୍ପତ୍ତିବି ହଡ଼ପ କରିଛନ୍ତି । ତେବେ ରିପୋର୍ଟ ଅନୁଯାୟୀ, ଉଦିତ ନାରାୟଣ ଫେବ୍ରୁଆରୀ ୨୧ରେ ସୁପଲ ପରିବାର କୋର୍ଟରେ ହାଜର ହୋଇଥିଲେ ଏବଂ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଏମିତିକି ଏହି ସମସ୍ୟାର ସମାଧାନ କରିବାକୁ ମନା କରିଦେଇଥିଲେ ଏବଂ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ରହିବା ନିଷ୍ପତ୍ତିରେ ଅଡ଼ି ବସିଥିଲେ। ଶୁଣାଣି ସମୟରେ ରଞ୍ଜନାଙ୍କ ଓକିଲ କହିଥିଲେ, ରଞ୍ଜନା ବୃଦ୍ଧ ହେଲେଣି ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ତେଣୁ ସେ କେବଳ ଉଦିତଙ୍କ ସହ ରହିବାକୁ ଚାହୁଛନ୍ତି। ହେଲେ ଉଦିତ ଏହାକୁ ମାନିନଥିଲେ।
ସୂଚନାଥାଉକି, ୧୯୮୫ରେ ଉଦିତ ନାରାୟଣ ଦୀପିକା ଗହତ୍ରାଜଙ୍କୁ ବିବାହ କରିଥିଲେ ଏବଂ ଦୁଇ ବର୍ଷ ପରେ ସେମାନଙ୍କର ଏକ ପୁତ୍ର ଆଦିତ୍ୟ ନାରାୟଣ ଜନ୍ମ ନେଇଥିଲେ । ୨୦୦୬ରେ ରଂଜନା ଦାବି କରିଥିଲେ ଯେ, ସେ ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ। ଅବଶ୍ୟ ଗାୟକ ଏହାକୁ ପ୍ରଥମେ ଗ୍ରହଣ କରିନଥିଲେବି ପରବର୍ତ୍ତୀ ସମୟରେ ସମ୍ପର୍କକୁ ସ୍ବୀକାର କରିଥିଲେ । ରଞ୍ଜନା କହିଛନ୍ତି ଉଦିତ କାମ ପାଇଁ ମୁମ୍ବାଇ ଯିବା ପରଠାରୁ ସେମାନଙ୍କୁ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ଉଦିତ ତାଙ୍କୁ ଦ୍ୱିତୀୟ ବିବାହ ବିଷୟରେ କେବେବି କହିନଥିଲେ କିମ୍ବା ଛାଡ଼ପତ୍ର ବିଷୟରେ ମଧ୍ୟ କେବେ କହିନାହାଁନ୍ତି।