ଆଇସିସି ଚାମ୍ପିଅନ୍ସ ଟ୍ରଫି; ରାୱଲପିଣ୍ଡିରେ 'ସେମି' ପାଇଁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସଂଘର୍ଷ

Published By : Prameya-News7 Bureau | February 25, 2025 IST

ରାୱଲପିଣ୍ଡି: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମଙ୍ଗଳବାର ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ଟକ୍କର । ରାଓ୍ବଲପିଣ୍ଡିରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ପ୍ରୟାସ କରିବେ ଦୁଇ ଟିମ୍ । ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ସାରିଛନ୍ତି । ଦକ୍ଷିଣ ଅଫ୍ରିକା ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୫ ଓ୍ବିକେଟରେ ମାତ୍ ଦେଇଛି ।   

ରନ୍‌ ରେଟ୍‌କୁ ଦେଖିଲେ ଦକ୍ଷିଣ ଆଫ୍ରିକା ଟେବୁଲ ଟପ୍‌ରେ ରହିଛି । ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ସେମିରେ ଏକ ପ୍ରକାର  ସ୍ଥାନ ପକ୍କା କରିବ । ଉଭୟ ଦଳ ଏକାଧିକ ମୁଖ୍ୟ ଖେଳାଳିଙ୍କ  ବିନା ଏଥର ଚାମ୍ପିଅନ୍ସ ଟ୍ରଫିକୁ ଓହ୍ଲାଇଛନ୍ତି ।  ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍‌ କମିନ୍ସ, ଜୋସ୍   ହାଜେଲଉଡ୍‌, ମିଚେଲ ଷ୍ଟାର୍କ, ମିଚେଲ   ମାର୍ଶ, ମାର୍କସ ଷ୍ଟାଇନିସ୍‌ ନାହାନ୍ତି । ଏମାନଙ୍କ ମଧ୍ୟରେ ୩ଜଣ ବିଶ୍ୱର ଶ୍ରେଷ୍ଠ ପେସ୍‌ ବୋଲର  ଓ ୨ଜଣ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ।  ଦକ୍ଷିଣ ଆଫ୍ରିକା ମଧ୍ୟ ଆନରିଚ ନର୍ଜ ଓ  ଗେରାଲ୍ଡ କୋଏଜିଙ୍କ ଭଳି ପେସ୍‌ ବୋଲରଙ୍କୁ ହରାଇଛି । ଉଭୟ ଦଳର ପେସ୍‌ ବୋଲିଂ  ବାହିନୀ ସାମାନ୍ୟ ଅନଭିଜ୍ଞ ରହିଛି । ମାତ୍ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ଓ ସୁଦୃଢ । ବ୍ୟାଟିଂ ସୁହାଉଥିବା ରାୱଲପିଣ୍ଡି ପିଚ୍‌ରେ ବୋଲରମାନେ ଫଳାଫଳ ନିର୍ଣ୍ଣୟରେ ମୁଖ୍ୟ ଭୂମିକା ଗ୍ରହଣ  କରିବେ । 

ଆଜିର ଦକ୍ଷିଣ ଆଫ୍ରିକା ଓପନର  ର‌୍ୟାନ ରିକେଲଟନ ଓ ଅଷ୍ଟ୍ରେଲିଆ ମଧ୍ୟକ୍ରମ ବ୍ୟାଟର ଜୋସ୍ ଇଂଲିଶଙ୍କ ଉପରେ ନଜର ରହିବ । ଉଭୟ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରିଛନ୍ତି ଓ ଦଳ  ପକ୍ଷରୁ ୱିକେଟ୍‌ କିପିଙ୍ଗ କରୁଛନ୍ତି । ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି । କହୁଣୀରେ ଯନ୍ତ୍ରଣା  ଥିବାରୁ ହେନରିକ କ୍ଲାସେନ ପ୍ରଥମ ମ୍ୟାଚ୍‌  ଖେଳିପାରିନଥିଲେ । ଆଜି ଟସ୍‌ ପୂର୍ବରୁ ସେ ଫିଟ୍‌ନେସ୍‌ ପରୀକ୍ଷାରେ ସମ୍ମୁଖୀନ ହେବେ । ଫିଟ୍‌ ଘୋଷିତ ହେଲେ ସେ ଖେଳିବା ନିଶ୍ଚିତ । 

ରନ୍‌ ପର୍ବ: ରାୱଲପିଣ୍ଡି ପିଚ୍‌କୁ ନେଇ ଉଭୟ ଦଳର ଅଧିନାୟକ ଖୁସି ଅଛନ୍ତି ।  ବ୍ୟାଟିଂ ପାଇଁ ପିଚ୍‌ ବେଶ ଅନୁକୂଳ ରହିବ ।  ଫଳରେ ବିସ୍ଫୋରକ ବ୍ୟାଟିଂ ସହ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର   ନିଶ୍ଚିତ । ରାତ୍ରିରେ କାକର ପଡ଼ିବାର ସେଭଳି ସମ୍ଭାବନା ନାହିଁ । ତେଣୁ ଟସ୍ ବିଜୟୀ ଦଳ  ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.