ଅନିଲ ଅମ୍ବାନୀଙ୍କୁ ଆଉ ଏକ ଝଟକା, ୫ ବିମାନ ବନ୍ଦର ଫେରାଇନେଲେ ସରକାର

Published By : Prameya-News7 Bureau | July 23, 2023 IST

ନୂଆଦିଲ୍ଲୀ, ୨୩/୦୭: ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀ ଦୀର୍ଘ ସମୟରୁ ଋଣ ସଙ୍କଟରେ ଫସିଛନ୍ତି । ଅନିଲଙ୍କ ଅନେକ ବଡ଼ କମ୍ପାନି ଦେବାଳିଆ ପ୍ରକ୍ରିୟା ଦେଇ ଗତିକରୁଛନ୍ତି। ଏହି କାରଣରୁ ଗ୍ରୁପ୍‌ର ସବୁ କମ୍ପାନିଙ୍କ ଶେୟାରକୁ ଗୁରୁତର ଭାବରେ କ୍ଷତି ପହଞ୍ଚିଛି। ନିକଟରେ ଅନିଲ ଅମ୍ବାନୀଙ୍କୁ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା)ର କଥିତ ଉଲ୍ଲଘଂନ ସହ ଜଡ଼ିତ ଯାଞ୍ଚ ସମ୍ବନ୍ଧରେ ଇଡି ପଚରାଉଚରା କରିଥିଲା। ଆଉ ଏବେ ପୁଣି ଅନିଲ ଅମ୍ବାନୀଙ୍କୁ ଆଉ ଏକ ଝଟକା ଲାଗିଛି।

ମହରାଷ୍ଟ୍ର ସରକାର ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଏୟାରପୋର୍ଟ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ (RADPL) କମ୍ପାନି ଠାରୁ ୫ ଏୟାରପୋର୍ଟ ଫେରାଇ ନେବାକୁ ଘୋଷଣା କରିଛନ୍ତି। ଏହି ୫ ଏୟାରପୋର୍ଟ- ବାରାମତୀ, ନାନ୍ଦେଡ଼, ଲାତୁର, ଯବତମାଳ ଏବଂ ଉସ୍ମାନାବାଦର। ଏହି ସବୁ ବିମାନ ବନ୍ଦର ଏବେ ବନ୍ଦ ରହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର ୨୦୦୯ରେ ୩୦ ବର୍ଷ ପାଇଁ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ସହାୟକ କମ୍ପାନି RADPLକୁ ବିମାନ ବନ୍ଦର ଦାୟିତ୍ବ ଦେଇଥିଲା।

ରିପୋର୍ଟ ଅନୁଯାୟୀ, ମହରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଧାନସଭାରେ କହିଛନ୍ତି ଯେ, ‘RADPL ଏୟାରପୋର୍ଟର ରକ୍ଷଣାବେକ୍ଷଣ କରୁନାହିଁ ଏବଂ ବୈଧାନିକ ବକେୟା ମଧ୍ୟ ପୈଠ ହୋଇପାରିନାହିଁ।’ ଦେବେନ୍ଦ୍ର ଫଡନାଭିସ କ୍ଷେତ୍ରୀୟ କନେକ୍ଟିଭିଟି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଏହି ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ମୁକେଶ ଅମ୍ବାନୀଙ୍କ ତୁଳନାରେ ଜାଣନ୍ତୁ କେତେ ଗରିବ ଅନିଲ ଅମ୍ବାନୀ, ଦିନେ ଭାଇଙ୍କ ଠାରୁ ବି ଥିଲେ ଧନୀ

ଏହା ସହ ଦେବେନ୍ଦ୍ର ଫଡନାଭିସ ଦାବି କରିଛନ୍ତି ଯେ, ଆସନ୍ତା ବର୍ଷ ନଭି ମୁମ୍ବାଇ ଏୟାରପୋର୍ଟ ଚାଲୁ ହୋଇଯିବ। ଟ୍ବିଟ୍‌ କରି କହିଛନ୍ତି, ନଭି ମୁମ୍ବାଇ ଏୟାରପୋର୍ଟ ଆସନ୍ତା ବର୍ଷ କାମ ଆରମ୍ଭ ହୋଇଯିବ। ନାନ୍ଦେଡ଼, ଲାତୁର ଏୟାରପୋର୍ଟର କାମ ଅଟକିଛି। ଯେଉଁ କମ୍ପାନିକୁ କାମ ଦିଆଯାଇଥିଲା, ସେ ବକେୟା ପୈଠ କରିନାହିଁ। ଆଇନଗତ ରାୟ ନିଆଯିବ ଆଉ ଆମେ ଏହି କାମ ଯଥାଶୀଘ୍ର କରିବାକୁ ଚେଷ୍ଟା କରୁଛୁ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.