ବିଫଳ ହେଲା ବୈଠକ, ନିଜ ଜିଦ୍‌ରେ ଅଡ଼ି ରହିଲେ ବ୍ରାହ୍ମଣ ଓ ବଡୁ ନିଯୋଗ

Published By : Prameya-News7 Bureau | January 14, 2025 IST

ଭୁବନେଶ୍ବର ୧: ମକର ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଏବେ ବି ମନ୍ଦିର ବାହାରେ ରହିଛନ୍ତି ମହାପ୍ରଭୁ । ସେବାୟତ-ସେବାୟତ ବିବାଦ ପାଇଁ ହେଲାନି ନୀତିକାନ୍ତି । ଜରୁରୀ ବୈଠକ ଡାକିଲେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା ବୈଠକ । କିନ୍ତୁ ବାହାରି ପାରିଲାନି ସମାଧାନର ବାଟ । ମକର ସଂକ୍ରାନ୍ତିରେ ବି ଖାଡା ଖାଡା ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ନା ହେଲା ମଙ୍ଗଳ ଆଳତୀ, ନା ହେଲା ଅବକାଶ ନୀତି । ମକର ମଣ୍ଡରେ ଏବେ ବି ବସିଛନ୍ତି ଲିଙ୍ଗରାଜ । ଘନ ଘନ ବୈଠକରେ ବି ହେଲାନି ସମାଧାନ । ନୀତିକାନ୍ତିକୁ ନେଇ ବଡୁ-ବ୍ରାହ୍ମଣ-ସୁଆର-ପୂଜାପଣ୍ଡା ନିଯୋଗ ମଧ୍ୟରେ ଲାଗିଛି ବିବାଦ । ସମାଧାନ ପାଇଁ ଚେଷ୍ଟା ଚାଲିଛି କହି ହାତ ଟେକିଦେଲେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । ଉତ୍ତେଜନା ପାଟିତୁଣ୍ଡରେ ସରିଲା ବୈଠକ । କେବେ ସ୍ବାଭାବିକ ହେବ ନୀତିକାନ୍ତି କାହା ପାଖରେ ଉତ୍ତର ନାହିଁ । 

ମକର ସଂକ୍ରାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଏ । ଏହି ନୀତିକାନ୍ତି ବଡୁ ସେବାୟତ କରିବା ପରେ ଆରମ୍ଭ ହୋଇଛି ବିବାଦ । ଗୋଟିଏ ପଟେ ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖା ଅଛି ବୋଲି ଅଡି ବସିଥିବା ବେଳେ ସେହି ସେବାକୁ ଆବାହମାନ କାଳରୁ ସୁଆର ସେବାୟତ କରୁଥିଲେ ବୋଲି ଦାବି କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ସେପଟେ ବିବାଦକୁ ସମାଧାନ କରିବା ପାଇଁ ନାକେଦମ ହୋଇଛି ମନ୍ଦିର ପ୍ରଶାସନ । ଉଭୟ ପକ୍ଷଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ବୈଠକ ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଅଧାରୁ ଚାଲିଯାଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା ଏବଂ ସୁଆର ନିଯୋଗ । ପରେ ଖାତାଖତିଆନ ଧରି ବଡୁ ନିଯୋଗ ନିଜର ଦାବି ରଖିଥିଲା । ତେବେ ଟ୍ରଷ୍ଟବୋର୍ଡ ପୁଣି ସମସ୍ତଙ୍କୁ ଡାକି ପୃଥକ ପୃଥକ ଭାବରେ ଆଲୋଚନା କରିଥିଲା । 

ସୋମବାର ଯେଉଁଠାରୁ ନୀତି ବନ୍ଦ ରହିଛି ସେହିଠାରୁ ଆରମ୍ଭ କରିବା ପାଇଁ ଅଡି ବସିଥିଲା ବ୍ରାହ୍ମଣ ନିଯୋଗ । ଯାହା ଫଳରେ ବିବାଦ ସମାଧାନ ହୋଇପାରିନାହିଁ । ତେବେ ବିବାଦ ସମାଧାନ ପାଇଁ ଚେଷ୍ଟା ଚାଲିଛି ଏବଂ ନୀତିକାନ୍ତି ନେଇ ଏକ ତାଲିକା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । କିନ୍ତୁ କେବେ ସ୍ବାଭାବିକ ସ୍ଥିତି ହେବ ସେ ନେଇ ସ୍ପଷ୍ଟ କରିନାହାନ୍ତି । ଠାକୁରଙ୍କ ନୀତି ବନ୍ଦ ଭକ୍ତଙ୍କ ମନକୁ ମଧ୍ୟ ଆଘାତ ଦେଇଛି । 

You Can Read:

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ବଡ଼ ପଦକ୍ଷେପ, ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.