ଲୋକପ୍ରିୟ ସିନେମା ନିର୍ଦ୍ଦେଶକ ଶଫିଙ୍କ ପରଲୋକ:ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରୀରେ ଶୋକ

Published By : Prameya-News7 Bureau | January 26, 2025 IST

ଥିରୁଭନନ୍ତପୁରମ: ଗଣତନ୍ତ୍ର ଦିବସରେ ଲୋକପ୍ରିୟ ମାଲାୟାଲମ ସିନେମା ନିର୍ଦ୍ଦେଶକ ଶଫିଙ୍କର ପରଲୋକ ହୋଇଛି। ଜାନୁଆରୀ ୧୬ ତାରିକରେ ତାଙ୍କର ହୃଦ୍‌ଘାତ ହେବା ପରେ ସେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ଶଫିଙ୍କୁ ନ୍ୟୁରୋସର୍ଜିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌ରେ ଚିକିତ୍ସା କରାଯାଉଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ହେଲେ ରବିବାର ଜାନୁଆରୀ ୨୬ ତାରିଖରେ ତାଙ୍କ ବିୟୋଗ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। 

ଶଫିଙ୍କ ବିୟୋଗରେ ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। ପୃଥ୍ୱୀରାଜ ସୁକୁମାରନ୍ ଏବଂ ଚିଆନ୍ ବିକ୍ରମଙ୍କ ଭଳି ମାଲାୟଲମ ଚଳଚ୍ଚିତ୍ର ଶିଳ୍ପର ସିନେ ଅଭିନେତାମାନେ ଶଫିଙ୍କ ବିୟୋଗରେ ଶୋକ ବ୍ୟକ୍ତି କରି ସୋସିଆଲ୍ ମିଡିଆରେ ଶୋକ ବାର୍ତ୍ତା ପୋଷ୍ଟ କରିଛନ୍ତି। 

ପୃଥ୍ୱୀରାଜ ସୁକୁମାରନ୍ ରବିବାର ଇନଷ୍ଟାଗ୍ରାମ୍‌ରେ ଶଫିଙ୍କର ଏକ ଫଟୋ ସେୟାର କରି ଲାଲ୍ ହାର୍ଟି ଇମୋଜି ଦେଇ ଲେଖିଛନ୍ତି, "ରେଷ୍ଟ ଇନ୍ ପିସ୍।" ସେହିଭଳି ବିକ୍ରମ ଏକ୍ସରେ ଶଫିଙ୍କୁ ମନେ ପକାଇ ଏକ୍ସରେ ଏକ ଦୁଃଖ ଭରା ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି “ଆଜି, ମୁଁ ଜଣେ ପ୍ରିୟ ବନ୍ଧୁକୁ ହରାଇଲି ଏବଂ ଦୁନିଆ ଜଣେ ଖୁବ୍ ଚମତ୍କାର କାହାଣୀକାରଙ୍କୁ ହରାଇଲା। ମୁଁ ଜାଣିବାରେ ସେ ସବୁଠାରୁ ମଜାଦାର ଏବଂ ସମ୍ବେଦନଶୀଳ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ। ଯିଏ ସରଳ ଜୀବନରେ ସୁନ୍ଦରତା ଦେଖିପାରୁ ଥିଲେ। ସେ ହୁଏତ ଆଉ ଆମ ସହ ଆଉ ଚାଲି ନପାରନ୍ତି, କିନ୍ତୁ ସେ ସବୁବେଳେ ଆମ ହସ ଲୁହ, ଓ ଭାବନା ଏବଂ ଆମକୁ ଦେଇଥିବା ସ୍ମୃତିରେ ବଞ୍ଚି ରହିବେ। ଏବେ ଶାନ୍ତିରେ ବିଶ୍ରାମ ନିଅ ମୋ ବନ୍ଧୁ। ତୁମେ ସବୁବେଳେ ମନେ ପଡ଼ିବ। କେବେ ବି ଭୁଲି ହେବ ନାହିଁ।”

ଶଫିଙ୍କ ମୃତ୍ୟୁ ନେଇ ଅଭିନେତା ବିଷ୍ଣୁ ଉନ୍ନିକୃଷ୍ଣନ୍ ପ୍ରଥମେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ। ଫେସ୍‌ବୁକ୍‌ରେ ପୋଷ୍ଟ କରି ସେ ଲେଖିଥିଲେ “ଶଫି ସାର୍ ଚାଲିଯାଇଛନ୍ତି, ହସ ଏବଂ ଅବିସ୍ମରଣୀୟ କାହାଣୀ ଛାଡ଼ିଯାଇଛନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ରହିବ। ଶ୍ରଦ୍ଧାଞ୍ଜଳି।”

ଶଫିଙ୍କ ପ୍ରକୃତ ନାଁ ଏମଏଚ୍ ରଶିଦ। ହେଲେ ସିନେ ଜମଗତରେ ସେ ଶଫି ନାଁରେ ଖୁବ୍ ପରିଚିତ ଥିଲେ। ସେ କମେଡି ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ପ୍ରସିଦ୍ଧି ହାସଲ କରିଥିଲେ। ୨୦୦୧ ମସିହାରେ ‘ୱାନ୍ ମ୍ୟାନ୍ ଶୋ’ ସିନେମାରେ ନିର୍ଦ୍ଦେଶନା ଦେଇ ସେ ତାଙ୍କ ନିର୍ଦ୍ଦେଶକ କ୍ୟରିୟରର ଆରମ୍ଭ କରିଥିଲେ। ସେ ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ ୧୦ ରୁ ଅଧିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କର କେତେକ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରହିଛି ପୁଲିଭାଲ୍ କଲ୍ୟାଣମ୍, ଥୋମାନୁମ୍ ମକ୍କାଲମ୍, ମାୟାଭି, ଏବଂ ମର୍କକୋଣ୍ଡୋରୋ କୁଞ୍ଜାଡୁ ଆଦି ସିନେମା। ୨୦୨୨ରେ ମୁକ୍ତିଲାଭ କରିଥିବା କମେଡି ସିନେମା ଆନନ୍ଦମ ପରମାନନ୍ଦମ ଥିଲା ତାଙ୍କର ଶେଷ ନିର୍ଦ୍ଦେଶିତ ସିନେମା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.