ବୈଠକକୁ ଆସିଲେନି ଡାକ୍ତର, ଅପେକ୍ଷା କରି ରହିଲେ ମମତା, କହିଲେ- ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ

Published By : Prameya-News7 Bureau | September 12, 2024 IST

କୋଲକାତା: ଲୋକଙ୍କ ହିତ ଏବଂ ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଆଜି  ଆରଜି କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହଡ଼ତାଳ କରୁଥିବା ଡାକ୍ତରମାନେ ଆଲୋଚନା କରିବାକୁ ମନା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  

ଆରଜି କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହଡ଼ତାଳ କରୁଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଇଥିଲେ। କିନ୍ତୁ ୨ ଘଣ୍ଟାରୁ ଅଧିକ ସମୟ ଧରି ମମତା ବାନାର୍ଜୀ ଅପେକ୍ଷା କରିବା ପରେ ବି ଡାକ୍ତରମାନେ ବୈଠକକୁ ଆସି ନ ଥିଲେ। ଏହା ପରେ ମମତା ବାନାର୍ଜୀ ହାତ ଯୋଡ଼ି ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ, ଆମେ ଡାକ୍ତରଙ୍କୁ କାମକୁ  ଫେରାଇ ଆଣିବାରେ ବିଫଳ ହୋଇଛୁ। ଲୋକଙ୍କ ହିତ ପାଇଁ ଏବଂ ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମମତା କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଚିକିତ୍ସା ଅଭାବରୁ ୨୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ମାତ୍ର ଡାକ୍ତରଙ୍କ ହଡ଼ତାଳ ଜାରି ରହିଛି। ମୁଁ ତିନି ଥର ଆଲୋଚନା ପାଇଁ ଉଦ୍ୟମ କଲି, ମାତ୍ର ଡାକ୍ତରମାନେ ବୈଠକକୁ ଆସିଲେ ନାହିଁ। ଏବେ ଯଦି କୌଣସି ବୈଠକ  ହୁଏ ତେବେ ତାହା ମୁଖ୍ୟ ସଚିବ ଓ ବାକି ଅଧିକାରୀଙ୍କ ସହ ହେବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ସରକାର ଆନ୍ଦୋଳନକାରୀ  ଜୁନିୟର ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେମାନଙ୍କୁ କ୍ଷମା କରି ଦେବୁ କାରଣ ଆମେ ବୟସରେ ବଡ଼। ଡାକ୍ତରଙ୍କ ଆନ୍ଦୋଳନ ପଛରେ ରାଜନୈତିକ ଦଳର ହାତ ଥିବା ମମତା କହିଛନ୍ତି। 

ଇସ୍ତଫା ଦେବାକୁ ପ୍ରସ୍ତୁତ

ମମତା ବାନାର୍ଜୀ କହିଛନ୍ତି, କିଛି ଲୋକ ମୋର ପଦ ଚାହୁଁଛନ୍ତି। ମୁଁ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ। ମୋତେ କ୍ଷମତାର କୌଣସି ଲାଳସା କି ଭୋକ ନାହିଁ। ବୈଠକକୁ ଆସିବା ପାଇଁ ଅଧିକାଂଶ ଲୋକ ପ୍ରସ୍ତୁତ ଥିଲେ। ମାତ୍ର ଜଣେ ଦୁଇ ଜଣ ଲୋକଙ୍କୁ  ଆଲୋଚନା ନ କରିବାକୁ ବାହାରୁ ନିର୍ଦ୍ଦେଶ ମିଳୁଥିଲା। ସେ ଏହା ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ଜନତା ଚାହିଁ ରହିଥିଲେ ଯେ, ଅନ୍ତତଃ ଆଜି ସମାଧାନର ରାସ୍ତା ବାହାରିବ। ହେଲେ ଡାକ୍ତରଙ୍କୁ ଡ୍ୟୁଟିକୁ ଆଣି ନ ପାରିବାରୁ ମୁଁ ଜନତାଙ୍କୁ କ୍ଷମା ମାଗୁଛି। ମୁଁ ପଶ୍ଚିମବଙ୍ଗବାସୀାଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.