ନୂଆଦିଲ୍ଲୀ ୨୫।୦୬: ୧୧ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ । ଦିନେ ଦାରିଦ୍ର୍ୟ ସାଜିଥିଲା କାଳ । ପେଟର ଭୋକ ପାଠପଢା ଛାଡିବାକୁ କରିଥିଲା ବାଧ୍ୟ । ମାତ୍ର ନବମ ଶ୍ରେଣୀରେ ଛାଡିଦେଇଥିଲେ ସ୍କୁଲ ଯିବା । ଆଉ ଲାଗିଥିଲେ କାମ କରିବାକୁ । ସେ ଏକ କମ୍ପାନୀରେ କାମ କରୁଥିଲେ । ଯେଉଁଠି ଦିନକୁ ତାଙ୍କୁ ଦରମା ଭାବେ ମିଳୁଥିଲା ମାତ୍ର ୩୦ଟଙ୍କା । କିନ୍ତୁ ସେ ଏତିକିରେ ନଥିଲେ ଶାନ୍ତି । ସେ କିଛି ବଡ କରିବାକୁ ଚାହୁଁଥିଲେ ।
ଆଉ ସେ କରିଥିଲେ କଠିନ ପରିଶ୍ରମ । ଆଉ ଏବେ ପାଲଟିଛନ୍ତି ଲୁଧିଆନାର ସବୁଠାରୁ ଧନୀ ବ୍ୟକ୍ତି । ଏହି ବ୍ୟକ୍ତି ହେଉଛନ୍ତି ଟ୍ରାଇଡେଣ୍ଟ ଗ୍ରୁପର ପ୍ରତିଷ୍ଠାତା ରାଜିନ୍ଦର ଗୁପ୍ତା । ପଞ୍ଜାବର ଏକ ସାଧାରଣ ପରିବାରରେ ଜନ୍ମ । ପିଲାଦିନରୁ ଅଭାବ ଅନଟନରେ ବଢିଥିଲେ । ମାତ୍ର ୧୪ ବର୍ଷରେ ପାଠ ପଢା ଛାଡି କରିଥିଲେ ଚାକିରି । କିନ୍ତୁ ଏହା ତାଙ୍କୁ ଦେଇପାରିନଥିଲା ଆତ୍ମସନ୍ତୁଷ୍ଟି । ତାଙ୍କର ଲକ୍ଷ୍ୟ ଥିଲା ଜୀବନରେ କିଛି ବଡ଼ କରିବା ।
କିଛି ବର୍ଷ ଚାକିରି କରିବା ପରେ ୧୯୮୫ରେ ରାଜିନ୍ଦର ୬ କୋଟି ଟଙ୍କାର କରିଥିଲେ ନିବେଶ । ଏଥିରେ ସେ 'ଅଭିଷେକ ଇଣ୍ଡଷ୍ଟ୍ରିଜ୍' ନାମକ ଏକ ସାର ବ୍ୟବସାୟ ଆରମ୍ଭ କରିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ବିଜିନେସ୍ର ଯାତ୍ରା । ଯାହା ପରେ ଟ୍ରାଇଡେଣ୍ଟ ଗ୍ରୁପରେ ପରିଣତ ହୋଇଥିଲା । ୧୯୯୧ରେ ରାଜିନ୍ଦର ଏକ ସୂତାକଳ ଆରମ୍ଭ କରିଥିଲେ । ଏହି ଯାତ୍ରା ମଧ୍ୟ ସଫଳ ହେଲା । ଆଗକୁ ଯାଇ ତାଙ୍କର ଏହି ବ୍ୟବସାୟ ବୟନଶିଳ୍ପ, କାଗଜ ଏବଂ ରାସାୟନିକ କ୍ଷେତ୍ରକୁ ବିସ୍ତାର କଲା ।
ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଏହାର ଉତ୍ପାଦନ କେନ୍ଦ୍ର ସ୍ଥାପନ କଲା । ଏହାପରେ ଟ୍ରାଇଟେଣ୍ଡ ଉତ୍ତର ଭାରତ ଶିଳ୍ପ ବିକାଶର ପ୍ରତୀକ ପାଲଟିଲା । ଆଜି ଟ୍ରାଇଡେଣ୍ଟ ବିଶ୍ୱବ୍ୟାପୀ ଘରୋଇ ବୟନଶିଳ୍ପ ଏବଂ କାଗଜ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନି । ଟ୍ରାଇଡେଣ୍ଟର ତଉଲିଆ ଏବଂ ବେଡସିଟ୍ ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ । ବର୍ତ୍ତମାନ ଟ୍ରାଇଡେଣ୍ଟ ଗ୍ରୁପ୍ର ଗ୍ରାହକମାନଙ୍କ ମଧ୍ୟରେ JCPenney, Walmart ଏବଂ Luxury & Linen ଭଳି ବଡ଼ ବଡ଼ ନାଁ ସାମିଲ ରହିଛି ।
ଫୋବର୍ସ ଅନୁଯାୟୀ ରାଜିନ୍ଦର ଗୁପ୍ତା ବର୍ତ୍ତମାନ ୧୧ ହଜାର କୋଟି ଟଙ୍କାର ମାଲିକ । ତାଙ୍କ କମ୍ପାନି ଟ୍ରାଇଡେଣ୍ଟ୍ ଗ୍ରୁପର ପ୍ରଡକ୍ଟ ୧୫୦ଟି ଦେଶରେ ରପ୍ତାନି ହେଉଛି । ୨୦୦୭ ମସିହାରେ ଗୁପ୍ତାଙ୍କୁ ବ୍ୟବସାୟ ଏବଂ ଶିଳ୍ପରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଯଦିଓ ସେ ବ୍ୟକ୍ତିଗତ କାରଣରୁ ୨୦୨୨ ମସିହାରେ ଟ୍ରାଇଡେଣ୍ଟର ବୋର୍ଡରୁ ଇସ୍ତଫା ଦେଇଥିଲେ, ତଥାପି ସେ ଟ୍ରାଇଡେଣ୍ଟ ଲିମିଟେଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।