ବାବା ସିଦ୍ଦିକିଙ୍କୁ ଗୁଳି କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶିବ କୁମାର ୟୁପିରୁ ଗିରଫ: ସଂଖ୍ୟା ୨୩କୁ ବୃଦ୍ଧି

Published By : Prameya-News7 Bureau | November 10, 2024 IST

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଉତ୍ତରପ୍ରଦେଶର ବହରାଇଚରୁ ଗିରଫ କଲା ପୁଲିସ।ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ ଶିବ କୁମାର। ସେ ନେପାଳ ଫେରାର ହେବାକୁ ବସିଥିଲା। ୟୁପି ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ମିଳିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଛି। ଶିବ କୁମାର ୯.୯ ଏମ୍ଏମ ପିସ୍ତଲରୁ ଗୁଳି କରିଥିଲା। ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକି ବାନ୍ଦ୍ରା ଇଷ୍ଟ ସ୍ଥିତ ତାଙ୍କ ପୁଅ ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ଭବନ ବାହାରେ ଥିବା ବେଳେ ଶିବ କୁମାର ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଶିବ କୁମାରଙ୍କ ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏହି ୪ ଜଣ ଶିବ କୁମାରଙ୍କୁ ଆଶ୍ରୟ ଦେବା ଏବଂ ତାଙ୍କୁ ନେପାଳ ପଳାଇବାରେ ସହଯୋଗ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୁଲିସ। ଗିରଫ ପରେ ପଚରାଉଚରା ପରେ ଶିବ କୁମାରର ଲରେନ୍ସ ଗ୍ୟାଙ୍ଗ ସହିତ ସମ୍ପର୍କ ରହିଛି ବୋଲି ସେ ସ୍ୱୀକାର କରିଛି। ଏହା ପୂର୍ବରୁ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲା। 

ଶିବ କୁମାରକୁ ଗିରଫ କରିବା ପରେ ପଚରାଉଚରା କରିଛି ପୁଲିସ। ଶିବକୁମାର ମଧ୍ୟ ଲରେନ୍ସ ଗ୍ୟାଙ୍ଗ ସହିତ ସମ୍ପର୍କ ଥିବା ନେଇ କହିଛି।ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୁର ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନିକଟତର ଶୁଭମ ଲୋଙ୍କର ସହଯୋଗରେ ସେ ଅନମୋଲ ସହ ଅନେକ ଥର କଥା ହୋଇଥିଲା। ଏହାପରେ ହତ୍ୟା ପ୍ଲାନ କରାଯାଇଥିଲା ବୋଲି ଶିବ କୁମାର ପୁଲିସ ଆଗରେ ସ୍ୱୀକାର କରିଛି। 

ଏହା ପୂର୍ବରୁ ମୁମ୍ବାଇ ପୋଲିସ ମଧ୍ୟ ଏ ବିଷୟରେ ଖୁଲାସା କରିଥିଲା। ବାବା ସିଦ୍ଦିକଙ୍କୁ ହତ୍ୟା କରିବା ପୂର୍ବରୁ ଅନମୋଲ ବିଷ୍ଣୋଇ ଶୁଟର ସହ ସମ୍ପର୍କରେ ଥିଲା। ସେ ସ୍ନାପଚାଟ୍‌ରେ ଗ୍ୟାଙ୍ଗ ମେମ୍ବର ସହ ଯୋଗାଯୋଗ କରୁଥିଲା। ଅନମୋଲ ବାବା ସିଦ୍ଦିକିଙ୍କ ପୁଅ ଜୀଶାନ ସିଦ୍ଦିକିଙ୍କ ଫଟୋ ବି ଶେୟାର କରିଥିଲା ବୋଲି ପୁଲିସ ସୂଚନା ଦେଇଥିଲା।

ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ବିଷ୍ଣୋଇ ନକଲି ପାସ୍‌ପୋର୍ଟ ନେଇ ଭାରତରୁ ଫେରାର ହୋଇଯାଇଥିଲା। ଗତବର୍ଷ ସେ କେନିଆରେ ଥିବା ବେଳେ ଚଳିତ ବର୍ଷ ସେ କାନାଡ଼ାରେ ଥିବା ଦେଖିବାକୁ ମିଳିଥିଲା। ଅନମୋଲ ସଲମାନ ଖାନ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଓ ପଞ୍ଜାବୀ ଗୀୟକ ସିଦ୍ଧୁ ମୁଶେୱାଲା ହତ୍ୟାକାଣ୍ଡରେ ୱାଣ୍ଟେଡ୍ ଅଛି। ଭାରତର ପୁଲିସ ତାକୁ ଖୋଜୁଛି।

ଜାତୀୟ ତଦନ୍ତକାରୀ ସଂସ୍ତା (ଏନଆଇଏ) ଅନମୋଲ ବିଷ୍ଣୋଇକୁ ୱାଣ୍ଟେଡ୍ ତାଲିକାରେ ଯୋଡିଛି। ଅନମୋଲ ବିଷୟରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ଶିବ କୁମାରଙ୍କ ଗିରଫ ପରେ ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.