ମଣିପୁରରେ ଥମୁନି ହିଂସା; ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଉଗ୍ରବାଦୀ

Published By : Prameya-News7 Bureau | December 15, 2024 IST

ମଣିପୁର: ମଣିପୁରରେ ଥମିବାର ନାଁ ଧରୁନାହିଁ ହିଂସା । ଶନିବାର କାକଚିଙ୍ଗ ଜିଲ୍ଲାରୁ ପୁଣି ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି । ବିହାରର ୨ଜଣ ପ୍ରବାସୀ ଶ୍ରମିକଙ୍କୁ ଉଗ୍ରବାସୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସର ସୂଚନା ମୁତାବକ, ଶନିବାର ସଂଧ୍ୟା ପ୍ରାୟ ୫ଟା ବେଳେ କାକଚିଙ୍ଗ-ଓ୍ବାବାଗଈ ରୋଡରେ କେଇରାକ୍ ପଞ୍ଚାୟତ ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବିହାର ଗୋପାଳଗଞ୍ଜ ଜିଲ୍ଲାର ସୁନାଲାଲ କୁମାର ଏବଂ ଦଶରଥ କୁମାର । ଦୁଇ ଶ୍ରମିକ ମୈତେଇ ସମ୍ପ୍ରଦାୟର ଦବଦବା ଥିବା କାକଚିଙ୍ଗ ଅଞ୍ଚଳରେ ଭଡ଼ାଟିଆ ଭାବେ ରହୁଥିଲେ  ।  

କାକଚିଙ୍ଗ ପୋଲିସ ଅନୁଯାୟୀ, ବିହାରର ଦୁଇ ଶ୍ରମିକ ନିଜ ଘରକୁ ଫେରୁଥିବା ବେଳେ ବନ୍ଧୁକଧାରୀ ଉଗ୍ରବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହା ପୂର୍ବରୁ ଇମ୍ପାଲର ପଶ୍ଚିମ ଜିଲ୍ଲାରେ ଝାଡ଼ଖଣ୍ଡର ୩ଜଣ ଶ୍ରମିକଙ୍କୁ ଉଗ୍ରବାଦୀମାନେ ଘରୁ ଡାକିଆଣି ଗୁଳି କରିଥିଲେ । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । 

ସୂଚନା ଅନୁଯାୟୀ, ମଣିପୁରରେ ଗତ ବର୍ଷ ମାର୍ଚ୍ଚ ମାସରୁ ହିଂସା ଲାଗି ରହିଛି । କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ଲାଗି ରହିଛି । କୁକି ସମୁଦାୟ ପକ୍ଷରୁ ଆଦିବାସୀ ଏକତାକୁ ନେଇ ଏକ ପଦଯାତ୍ରା ଆରମ୍ଭ ହୋଇଥିଲା । ମାର୍ଚ୍ଚ ଚୁରଚାନ୍ଦପୁରର ତୋରବଙ୍ଗା ଅଞ୍ଚଳରେ ଜାରି ରହିଥିଲା । ଏହା ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚୀତ ଜନଜାତି ଦେବା ବିରୋଧରେ ଥିଲା । ଏହାକୁ ନେଇ ଦୁଇ ସମୁଦାୟ ମଧ୍ୟରେ ହିଂସାତ୍ମକ ଘଟଣାମାନ ଦେଖିବାକୁ ମିଳିଛି । 

 

  • prameyanews
  • PrameyaOdia
  • prameya
  • manipur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.