୧୬ ଯାଏଁ ତାତିରୁ ନିସ୍ତାର ନାହିଁ, ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ

Published By : Prameya-News7 Bureau | May 13, 2025 IST

ଭୁବନେଶ୍ୱର, ୧୩/୦୫: ସମ୍ବଲପୁର ଟକଟକ୍‌ ହୋଇ  ଫୁଟିଥିଲା । ତତଲା କଡ଼େଇରେ ଭାଜିଲା ଭଳି କଲବଲ  କରିଥିଲା ତାତି । ଖାଲି ସମ୍ବଲପୁର ନୁହେଁ, ୧୬ ସହରରେ  ଅସମ୍ଭାଳ ତାତି ଅନୁଭୂତ ହୋଇଥିଲା । ୪୦ ଡିଗ୍ରୀ ଡେଇଁ  ଯାଇଥିଲା । ଆର୍ଦ୍ରତା ଅଧିକ ଥିବାରୁ ଭୁବନେଶ୍ୱରରେ ୬୦ ଡିଗ୍ରୀ ଭଳି ତାତି( ରିଅଲ ଫିଲ୍‌) ଅନୁଭୂତ ହୋଇଥିଲା । ୧୬ ତାରିଖ  ଯାଏ ଏଭଳି ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ । ପାଣିପାଗ ବିଭାଗ ଏହା ସତର୍କ କରାଇ ଦେଇଛି । 

ସୋମବାର ରାତିରେ ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କେନ୍ଦୁଝରରେ  କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ  ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି ।  

ବୁଧବାର(୧୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର  ଓ ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ହେବ । ୧୫  ଓ ୧୬ ତାରିଖ ଉପକୂଳ ଓଡ଼ିଶା ସମେତ ଉତ୍ତର  ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଗରମ ଓ ଗୁଳୁଗୁଳି  ଆଶଙ୍କା ଅଛି । ୧୫ରୁ ୧୮ ତାରିଖ ଯାଏ ରାଜ୍ୟର  ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା  ହୋଇପାରେ ।  

ସୋମବାର ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାତି ୪୨.୯ ଡିଗ୍ରୀ  ସେଲସିୟସ୍‌ ରହିଥିଲା । ହୀରାକୁଦରେ ୪୨.୪,  ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୨.୨, ବୌଦ୍ଧ  ଓ ଟିଟିଲାଗଡ଼ରେ ୪୨, ଅନୁଗୁଳରେ ୪୧.୯,  ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ  ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ  ବରଗଡ଼ରେ ୪୧.୨, ନୂଆପଡ଼ା ୪୧, ରାଉରକେଲା ଓ ସୋନପୁରରେ ୪୦.୬, ଭୁବନେଶ୍ୱରରେ ୪୦.୪,  ଢେଙ୍କାନାଳରେ ୪୦.୩ ଓ କଟକରେ ୪୦ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି । 

୧୩ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  ଆଣ୍ଡାମାନ ସାଗର ଛୁଇଁପାରେ ବୋଲି ପାଣିପାଗ  ବିଜ୍ଞାନୀ ଆକଳନ କରିଛନ୍ତି । ୨୪ ଘଣ୍ଟାରେ ନିକୋବର  ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି ।  ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି  ପ୍ରବଳ ବର୍ଷା ହୋଇପାରେ । 

ଆଗାମୀ ୨୪ ଘଣ୍ଟାରେ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରର  କିଛି ଅଞ୍ଚଳ ସହିତ ଆଣ୍ଡାମାନ ଓ ନିକୋବର  ଦୀପର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ  ଅନୁକୂଳ ରହିଛି । ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ  ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ  ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ  ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.