ମେ ୧ରୁ ବଡ ପରିବର୍ତ୍ତନ; ବଦଳିବ ଅନେକ ନିୟମ, ଗ୍ରାହକଙ୍କ ପକେଟରେ ପଡିବ ପ୍ରଭାବ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦।୦୪: ଆଉ କିଛି ଦିନର ଅପେକ୍ଷା । ସରିବ ଅପ୍ରେଲ୍‌ ମାସ । ଆରମ୍ଭ ହେବ ମଇ । ପହିଲାରୁ ଅନେକ କିଛିରେ ହେବ ପରିବର୍ତ୍ତନ ।  ଯାହା ସିଧାସଳଖ ସାଧାରଣ ଜନତାଙ୍କ ପକେଟରେ ପଡିପାରେ ପ୍ରଭାବ । ଏଥିରେ ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ଏଟିଏମ୍‌ ଟ୍ରାଞ୍ଜାକ୍ସନ୍‌ ପରି ନିୟମ ସାମିଲ ରହିଛି । ଏହି ପରିବର୍ତ୍ତନ ସହିତ ସାଧାରଣ ଜନତାଙ୍କୁ ଟଙ୍କା ଲେଣଦେଣରେ କିଛି ନୂଆ ବ୍ୟବସ୍ଥା ପାଳନ କରିବାକୁ ପଡିବ । ଯଦି ଏସବୁ ପରିବର୍ତ୍ତନ ଏପର୍ଯ୍ୟନ୍ତ ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ... 

ରିଜର୍ଭ ବ୍ୟାଙ୍କ ମଇ ୧ରୁ ବ୍ୟାଙ୍କ ନିୟମରେ କରିପାରେ ପରିବର୍ତ୍ତନ । ଏଟିଏମ୍‌ରୁ ଉଠାଣ-ଜମା କରିବା ଏବଂ ବାଲାନ୍ସ ଚେକ୍‌ କରିବା ଉପରେ ଲାଗୁ ହେବ ଅତିରିକ୍ତ ଶୁଳ୍କ । ତେବେ ଏହା ସେତେବେଳେ ହେବ ଯେତେବେଳେ ଟ୍ରାଞ୍ଜାକ୍ସନ୍‌ ଲିମିଟ୍‌ ପାର୍‌ କରିଯିବ । ଏହି ନିୟମ ୧ ମଇରୁ ହେବ ଲାଗୁ । ପ୍ରତି ଟ୍ରାନଜାକ୍ସନ୍‌ ପାଇଁ ନଗଦ ଉଠାଣ ଶୁଳ୍କ ୧୭ଟଙ୍କାରୁ ୧୯ଟଙ୍କା ହେବ। ସେହିପରି ବାଲାନ୍ସ ଚେକ୍ ପାଇଁ ଶୁଳ୍କ ୬ଟଙ୍କାରୁ ୭ଟଙ୍କାକୁ ବଢିଛି ।

ମଇ ୧ରୁ ଟ୍ରେନ୍‌ ଟିକେଟ ବୁକିଂ ନିୟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଏଣିକି ସ୍ଲିପର ଏବଂ ଏସି କୋଚରେ ଆଉ ଓ୍ବେଟିଙ୍ଗ୍ ଟିକେଟ୍ ରହିବନି । କେବଳ ଜେନେରାଲ୍‌ କୋଚରେ ଓ୍ବେଟିଂ ଟିକେଟରେ ଯାତ୍ରା କରିହେବ । ଏହାବ୍ୟତୀତ ଆଡଭାନ୍ସ ରିଜର୍ଭସେନ୍‌ ପିରିଅଡ୍‌କୁ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇଛି । ରେଳବାଇ ୩ଟି ପ୍ରମୁଖ ଶୁଳ୍କ ମଧ୍ୟ ବୃଦ୍ଧି କରିପାରେ । ଯାହା ଭଡ଼ା ଏବଂ ରିଫଣ୍ଡ ପ୍ରକ୍ରିୟାକୁ ମହଙ୍ଗା କରିପାରେ। 

ଦେଶର ୧୧ଟି ରାଜ୍ୟରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ । "ଗୋଟିଏ ରାଜ୍ୟ, ଗୋଟିଏ RRB" ନୀତି ୧ ମଇ, ୨୦୨୫ରୁ କାର୍ଯ୍ୟକାରୀ ହେବ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବ୍ୟାଙ୍କଗୁଡ଼ିକର ପରିଚାଳନା ଦକ୍ଷତା ବୃଦ୍ଧି କରିବା ଏବଂ ଖର୍ଚ୍ଚ ହ୍ରାସ କରିବା । ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟଗୁଡ଼ିକ ହେଉଛି: ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଗୁଜରାଟ, ଜମ୍ମୁ ଏବଂ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ରାଜସ୍ଥାନ।

ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ସମୀକ୍ଷା କରାଯାଏ । ଏଥର ମଧ୍ୟ ମେ ୧ ତାରିଖରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ । ଏହାର ମୂଲ୍ୟ ପରିବର୍ତ୍ତନ ସାଧାରଣ ଲୋକଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପକାଇବ।

ମଇ ୧ରୁ ସ୍ଥାୟୀ ଜମା ଏବଂ ସଞ୍ଚୟ ଖାତା ନିୟମରେ ହୋଇପାରେ ପରିବର୍ତ୍ତନ । ଏହି ପରିବର୍ତ୍ତନରେ ସୁଧ ହାରରେ ସଂଶୋଧନର ମଧ୍ୟ ସମ୍ଭାବନା ରହିଛି । ତେବେ ଏପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ FD ଏବଂ ସଞ୍ଚୟ ଖାତାର ସୁଧ ହାର ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.